ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବ

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ଓ କର୍ମଭୂମିକୁ ଏକ ସଂଗ୍ରହାଳୟ କମ୍ପ୍ଲେକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। କଲିକତାରୁ ଫେରିବା ପରେ ମଧୁବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା’ର ସେବାରେ ନିଜକୁ ନିୟୋଜିତ କରିଥିଲେ।

ଶନିବାର ସକାଳେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏଥିସହ ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ। ଆଗାମୀ ଏପ୍ରିଲ ୧୫ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ଜନ୍ମପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ମଧୁବାବୁଙ୍କ ମା’ ଏହି ରାସ୍ତାରେ ନିଜ ଜନ୍ମପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ। ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ସହିତ ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତିର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା ରହିବ। ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟର ବିକାଶ କରାଯିବ।

Leave a Reply

Your email address will not be published. Required fields are marked *

Back to top button