ବିଭିନ୍ନ ବିଭାଗର ବିଫଳତା ହେଉଛି ୫-ଟି ଓ ଆମ ଓଡ଼ିଶା : ବିଜେପି

ଭୁବନେଶ୍ୱର : ବିଜୁ ଜନତା ଦଳର ଜଣେ ସାଧାରଣ ସଦସ୍ୟଭାବେ ଏହି କେତେଦିନ ହେବ ଯୋଗ ଦେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ “ଓଡ଼ିଶା ରୂପାନ୍ତରୀକରଣ”ର ନାରା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ। ଘରେ ନପଶୁଣୁ ଚାଳ ବାଜିଲାଣି, ଆଗକୁ କ’ଣ ହେବ ? ଯଦି ୨୩ବର୍ଷ ଶାସନରେ ରୂପାନ୍ତରୀକରଣ ହୋଇଛି ତାହାଲେ ଜଗନ୍ନାଥ ମନ୍ଦିରରେ ଭକ୍ତ ଶୃଙ୍ଖଳିତ ପ୍ରବେଶ କାହିଁକି କରିପାରୁନାହାନ୍ତି ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଖବର ଅନୁଯାୟୀ ଶ୍ରୀ ମହାପାତ୍ର କହିଛନ୍ତି ସ୍କୁଲରେ ରଙ୍ଗ ବୋଳି ରୂପାନ୍ତରୀକରଣ ନାରା ଦେଉଛନ୍ତି। ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନାହିଁ। ଡାକ୍ତରଖାନାରେ କୋଠା ଅଛି କିନ୍ତୁ ଡାକ୍ତର ନାହାନ୍ତି। ଅସରାଏ ବର୍ଷା ହେଲେ ରୂପାନ୍ତରିତ ବିଦ୍ୟାଳୟର କାନ୍ଥ ଭୁଷୁଡି ପଡିବା ସହ ସ୍କୁଲରେ ଶିକ୍ଷକଙ୍କ ଅଭାବ। ଯେଉଁ ଶିକ୍ଷକ ଅଛନ୍ତି ସେମାନେ ଟଙ୍କା ନପାଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି।

ସେ କହିଲେ ବିଜୁ ଜନତା ଦଳ ୨୩ବର୍ଷ ଶାସନରେ ରହିବି ଏଯାଏଁ କୌଣସି ରୂପାନ୍ତରୀକରଣ କରିନାହାନ୍ତି। ରୂପାନ୍ତରୀକରଣର ଆଳ ଦେଖାଇ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ବିଭିନ୍ନ ବିଭାଗ ବୁଲୁଛନ୍ତି। ସେସବୁ ବିଭାଗର ମନ୍ତ୍ରୀ ଗଲେ କୁଆଡେ ? ଓଡ଼ିଶାର ସମସ୍ତ ବିଭାଗକୁ ପଙ୍ଗୁ କରିଛନ୍ତି। କୌଣସି ବିଭାଗର ମନ୍ତ୍ରୀ କୌଣସି ବିଭାଗ ଦେଖିପାରୁ ନାହାନ୍ତି। ବିଜେଡି ରୂପାନ୍ତରଣ କଥା କହୁଛି ବାସ୍ତବରେ ଏହାର କାମ କିଏ କରୁଛି ତାହାର ହିସାବ ଶାସକ ଦଳ ଦେଲେ ଭଲ ହେବ। ରଙ୍ଗ ମାରିଦେଲେ ରୂପାନ୍ତରୀକରଣ ହୁଏ ନାହିଁ, କାମ କରିବାକୁ ପଡେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button