ପଂଜଶୀର ପାଲଟିଲା ଭୂତ ସହର

କାବୁଲ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପଂଜଶୀରକୁ ଅକ୍ତିଆର କରିବା ପାଇଁ ଲଢେଇ ଜାରି ରହିଛି। ଏଭଳି ପରିସ୍ଥିତିରେ ଯୋଗାଯୋଗ ହୋଇଛି ବିଛିନ୍ନ। ପର୍ବତ ପ୍ରଦେଶ ପଂଜଶୀରର କେଉଁ ଅଂଚଳରେ କ’ଣ ଘଟୁଛି ତାହା ଲୋକେ ଜାଣି ପାରୁନାହାନ୍ତି। ମୁଖ୍ୟତଃ ଖାଦ୍ୟର ଦେଖାଦେଇଛି ଘୋର ଅଭାବ। ତାଲିବାନୀମାନେ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଥିବାରୁ ଖାଦ୍ୟ ସାମଗ୍ରୀ ସବୁ ଶେଷହୋଇ ଯାଇଛି। ବିଦ୍ରୋହୀ ନେତା ଅହମଦ ମସୁଦ ଓ ଅମରୁଲ୍ଲା ସଲେହ ପଂଜଶୀରରେ ଥିଲେ ହେଁ ଅନ୍ୟ ଲୋକ ସବୁ ଗାଁ ଛାଡ଼ି କାବୁଲ ପଳାଇ ଯାଉଛନ୍ତି। ତାଲିବାନ କହୁଛି ପଂଜଶୀରରେ ବିଜୟ ହାସଲ କରିଛି। ଏବେ ସ୍ଥିତି ଏପରି ଯେ ପଂଜଶୀର ପାଲଟିଛି ଭୂତ ସହର।

ଅନ୍ୟପକ୍ଷରେ ବି‌ଦ୍ରୋହୀ ନେତାମାନେ କହିଛନ୍ତି ଆମେ ଲଢ଼େଇ ଜାରି ରଖିଛୁ। କିନ୍ତୁ କାବୁଲ ଯାଇଥିବା ଲୋକମା‌ନେ କହିଛନ୍ତି ତାଲିବାନ ଓ ବିଦ୍ରୋହୀ ବାହିନୀ ଏନଆରଏଫ୍‌ ମଧ୍ୟରେ କିଏ ଜିତିଛି ତାହା ସେମାନଙ୍କୁ ଜଣାପଡ଼ିନାହିଁ। ସେମାନଙ୍କ କହିବା ଅନୁଯାୟୀ ପଂଜଶୀରରେ ଅଧିକାଂଶ ଦୋକାନ ବନ୍ଦ ରହିଛି। ଅନେକ ଅଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବାରୁ ସେମାନେ ସମସ୍ତ ମାନବୀୟ ସହ‌ଯୋଗ ବନ୍ଦ କରିଦେଇଛନ୍ତି। ତେଣୁ ପଂଜଶୀର ବାସିନ୍ଦାଙ୍କ ପାଖରେ ସ୍ଥାନ ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ।

Leave a Reply

Your email address will not be published. Required fields are marked *

Back to top button