ନଭେମ୍ବର ୧୫ ସୁଦ୍ଧା ଅଞ୍ଚଳରେ ଥିବା ଅଫିସରଙ୍କୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ନିଜ ଅଂଚଳରେ ରହିଥିବା ଅଫିସରମାନଙ୍କୁ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଅନ୍ୟତ୍ର ବଦଳି କରିବାକୁ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗତ ଶୁକ୍ରବାର ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ପଂଚାୟତ ନିର୍ବାଚନ ୨୦୨୨ ମସିହାର ପ୍ରଥମ ଭାଗରେ ହେବ। କମିଶନ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିଜ ଅଂଚଳରେ କିମ୍ବା ନିଜ ଜନ୍ମ ସ୍ଥାନରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କୁ ନଭେମ୍ବର ୧୫ତାରିଖ ସୁଦ୍ଧା ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କର୍ମଚାରୀ ବା ଅଫିସରଙ୍କ ବଦଳି ହେବ ସେମାନେ ଯେପରି ଛୁଟି ନରହିବେ ଏବଂ ବଦଳି ସ୍ଥାନରେ ଯୋଗ ଦେବେ ତାହା ସୁନିଶ୍ଚିତ କରିବାକୁ କମିଶନର କହିଛନ୍ତି। ଯେଉଁ କର୍ମଚାରୀମାନେ ୨୦୨୨ ମାର୍ଚ୍ଚ ସୁଦ୍ଧା ସରକାରୀ ଚାକିରିରୁ ଅବସର ନେବାକୁ ଥିବେ ସେମାନଙ୍କୁ ବଦଳି ପ୍ରକ୍ରିୟାରୁ ବାଦ୍ ଦେବା ସହ ନିର୍ବାଚନ ଡ୍ୟୁଟିରେ ନପକାଇବାକୁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି। ବଦଳି ପ୍ରକ୍ରିୟା ଆରମ୍ଭ ଲାଗି ସମସ୍ତ ବିଭାଗକୁ ତୁରନ୍ତ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ କମିଶନର କହିଛନ୍ତି।

ଯେଉଁ କର୍ମଚାରୀ ଓ ଅଫିସରମାନେ ନିଜ ଅଂଚଳରେ ରହିଲେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧାପ୍ରାପ୍ତ ହେବାର ଆଶଙ୍କା କମିଶନର କରିଛନ୍ତି ସେମାନଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ସେସବୁ ଅଫିସର ଓ କର୍ମଚାରୀମାନେ ହେଲେ ପଂଚାୟତସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀ, ବ୍ଲକସ୍ତରରେ ବିଡିଓ, ଏବିଡିଓ,ତହସିଲଦାର, ଅତିରିକ୍ତ ତହସିଲଦାର, ପଂଚାୟତ ସମ୍ପ୍ରସାରଣ ଅଫିସର ଓ ଅନ୍ୟ ସମ୍ପ୍ରସାରଣ ଅଧିକାରୀ ଯିଏକି ନିଜ ଗୃହ ବ୍ଲକରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ସବଡିଭିଜନସ୍ତରରେ ସବକଲେକ୍ଟର, ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ସବକଲେକ୍ଟର, ଏସଡିପିଓ, ସବଡିଭିଜିନାଲ ପଂଚାୟତ ଅଫିସରଙ୍କ ସମେତ ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଡିଆରଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଏସପି, ଜିଲ୍ଲା ପଂଚାୟତ ଅଫିସରଙ୍କୁ ନିଜ ଗୃହ ଜିଲ୍ଲାରୁ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି। ଏହାସହିତ ପଂଚାୟତ ନିର୍ବାଚନ ଧାର୍ଯ୍ୟ ସମୟସୀମା ଭିତରେ କରାଯିବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button