ଆଣ୍ଡାମାନଠାରୁ ୫୫ କିମି ଦୂରରେ ଚୀନ ନିର୍ମାଣ କରୁଛି ସାମରିକ ଘାଟି

ନୂଆଦିଲ୍ଲୀ : ଭାରତକୁ ଘେରିବା ପାଇଁ ଚୀନ୍ କରୁଛି ନୂଆ ଷଡ଼ଯନ୍ତ୍ର କରିଚାଲିଛି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରୁ ପ୍ରାୟ ୫୫ କିଲୋମିଟର ଦୂର ମିଆଁମାରର କୋକୋ ଦ୍ୱୀପରେ ଏକ ସାମରିକ ଘାଟି ନିର୍ମାଣ ଚାଲିଛି। ଚୀନ ସହାୟତାରେ ମିଆଁମାର ସରକାର ଏହାକୁ ନିର୍ମାଣ କରୁଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ରିପୋର୍ଟ ସାମ୍ନାକୁ ଆସିବା ପରେ ସାମରିକ ଘାଟି ପଛରେ ଚୀନର ହାତ ରହିଥିବା ସନ୍ଦେହ ସୃଷ୍ଟି ହୋଇଛି। ଭାରତ ସର୍ବଦା କୋକୋ ଦ୍ୱୀପକୁ ସନ୍ଦେହ ଦୃଷ୍ଟିରେ ଦେଖିଆସିଛି। କାରଣ ଚୀନ୍ ସର୍ବଦା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଘେରିବା ପାଇଁ ମିଆଁମାରର ଏହି ଦ୍ୱୀପକୁ ବ୍ୟବହାର କରିଆସୁଛି। ଏଠାରେ ଏକ ସାମରିକ ଘାଟି ନିର୍ମାଣର ଫଟୋ ସାଟେଲାଇଟରୁ ଜଣାପଡିଛି।
ସୂଚନାଯୋଗ୍ୟ ମାକ୍ସର ଟେକ୍ନୋଲୋଜି ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଫଟୋରେ କୋକୋ ଦ୍ୱୀପରେ ସାମରିକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ସେଠାରେ କେତେକ ନୂତନ ନିର୍ମାଣ କାର୍ଯ୍ୟ ହୋଇଛି। ଯେଉଁଥିରେ ରହଛି ୨୩୦୦ ମିଟର ଲମ୍ବର ନୂଆ ରନୱେ। ଏକ ଦଶନ୍ଧି ତଳେ ଏହି ରନୱେର ଲମ୍ବ ୧୩୦୦ ମିଟର ଥିଲା। ଅନୁମାନ କରାଯାଉଛି ଚୀନ୍ ସଂପୃକ୍ତିରେ ମିଆଁମାର ଏହାର ଗୁପ୍ତ ସାମୁଦ୍ରିକ ନିରୀକ୍ଷଣ ଅଭିଯାନ ପାଇଁ ଏହି ଦ୍ୱୀପପୁଞ୍ଜଗୁଡ଼ିକୁ ପ୍ରସ୍ତୁତ କରୁଛି।