ରେଳ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା : ଓଡିଶାର କେହି ନାହାନ୍ତି

ରାୟଗଡା : ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଏ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡ ରହିଛନ୍ତି।

ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସମସ୍ତଙ୍କ ଘର ଆନ୍ଧ୍ରପ୍ରଦେଶ। ୩ ଜଣଙ୍କର ପରିଚୟ ମିଳିନାହିଁ। ମୃତକ ମଧ୍ୟରେ ଓଡ଼ିଶାର କେହି ନଥିବା ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ବେଳେ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛି ରେଳ ବିଭାଗ। ଗୁରୁତର ଆହତ ଯାତ୍ରୀଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଦିଆଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟ କରି ସୂଚନା ଦେଇଛନ୍ତି।

ଏବେ ମରାମତି କାର୍ଯ୍ୟରେ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲେ ହେଁ ଅପରାହ୍ଣ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ବୋଲି ସିପିଆରଓ ସୂଚନା ଦେଇଛନ୍ତି। ହେଲେ ଏହି ରୁଟରେ ୪୫ଟି ଟ୍ରେନ ବାତିଲ ହୋଇଥିବା ବେଳେ ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ ଓ ୬ଟି ଟ୍ରେନର ସମୟ ବଦଳିଛି।

Leave a Reply

Your email address will not be published. Required fields are marked *

Back to top button