ପାର୍ବଣ ଋତୁ ପାଇଁ ଗଞ୍ଜାମ ଜିଲାପାଳ ଜାରିକଲେ ଗାଇଡଲାଇନ୍
ବ୍ରହ୍ମପୁର : କରୋନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପାର୍ବଣ ଋତୁ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି। ମଣ୍ଡପରେ ପୂଜା ଅନୁମତି ପାଇଁ ଆୟୋଜକଙ୍କୁ କମିଟିର ସମସ୍ତ ସଦସ୍ୟଙ୍କ ଡବଲଜୋଡ୍ ଟିକା କିମ୍ବା ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ ସହ ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି।
ଖବର ଅନୁଯାୟୀ ପୂଜା ଅନୁମତି ପାଇଁ ଫାୟାର, ବିଦ୍ୟୁତ ଓ ସ୍ଥାନୀୟ ପୋଲିସ ବିଭାଗର ଏନଓସି ରିପୋର୍ଟ ଆବେଦନ ବେଳେ ଦାଖଲ କରିବାକୁ ପଡିବ। ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ପୂଜା ପାଇଁ ଆବେଦନ ହେବ। ଉପଜିଲାପାଳ ସମସ୍ତ ବିଷୟକୁ ତର୍ଜମା କରି ଅନୁମତି ଦେବେ। ମୂର୍ତ୍ତିଗୁଡିକର ଉଚ୍ଚତା ୪ ଫୁଟ୍ ମଧ୍ୟରେ ସୀମିତ ରହିବ। ପୂଜା ମଣ୍ଡପର ୩ ପାର୍ଶ୍ଵ ଆବଦ୍ଧ ରହିବ ଓ କୌଣସି ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ନଥିବା ବେଳେ ପୂଜକ, କର୍ତ୍ତା ସହ ୭ ଜଣ ମଣ୍ଡପରେ ରହିପାରିବେ।
ଗାଇଡଲାଇନରେ ମଣ୍ଡପରେ କୋଭିଡ୍ ପ୍ରୋଟୋକଲ, ମାସ୍କ ଓ ସାମଜିକ ଦୂତା ବାଧ୍ୟତାମୂଳକ କରାଯାଇଛି। ଭସାଣୀ ଉତ୍ସବ, ସାଂସ୍କୃତି କାର୍ଯ୍ୟକ୍ରମ, ମ୍ୟୁଜିକାଲ ସମ୍ପୂର୍ଣ୍ଣ ନିଷେଧ। ଭୋଜିଭାତ, ପ୍ରସାଦ ବଂଟନ ମନା। ନବରାତ୍ରୀ ଦାଣ୍ଡିଆ ମଧ୍ୟ ହୋଇପାରିବନି। ଉପଜିଲାପାଳ ଓ ତହସିଲଦାରମାନଙ୍କୁ ଚଢାଉ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଚଳିତ ପାର୍ବଣରେ ବାଣ ଫୁଟା ନିଷେଧ। ଏହି ନିୟମର ଉଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆକ୍ଟ-୨୦୦୫, ମହାମାରୀ ରୋଗ ଆକ୍ଟ ୧୮୯୭ ଓ ଆଇପିସି ର ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଛନ୍ତି। ଜିଲାରେ ଏବେ କରୋନା ସଂକ୍ରମଣ ନାହିଁ କିନ୍ତୁ ପର୍ବାଣ ସମୟରେ ପ୍ରବଳ ଭିଡ ରହିଲେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି।