ବନକଲାଗି ନୀତି ନିର୍ଦ୍ଦେଶ କାମଦେଲାନି

ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି ଆଜି କରିବାକୁ ଶ୍ରୀମନ୍ଦିର ପ୍ରଶାସନିକ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ ଦେଇଥିଲା। ନଚେତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଆଯାଇଥିଲା ଚେତାବନୀ। କିନ୍ତୁ ପୂର୍ବପରି ଏହି ଚେତାବନୀ କାମଦେଲାନି।

ଖବର ଅନୁଯାୟୀ ଗତ ୧୯ ତାରିଖରେ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବଦିନ ନିର୍ଦ୍ଦେଶ ଦେଇଥିଲା। ଏହା ପାଳନ କରାଗଲାନି। ଆଜିର ନିର୍ଦ୍ଦେଶ ମଧ୍ୟ ପୂର୍ବପରି ହେଲା। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ସପ୍ତାହର ଗୁରୁବାର ବନକଲାଗି ହେଉଛି। ମାତ୍ର ଏହି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା। ଚଳିତବର୍ଷ ଜୁନ୍ ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ପୂର୍ବରୁ ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ସଂଜୟ ଦତ୍ତମହାପାତ୍ର କହିଛନ୍ତି ଗୁରୁବାର ବନକଲାଗି ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। ଆଜି ବନକଲାଗି ନୀତି ସମ୍ଭବ ନୁହେଁ। ଆସନ୍ତାକାଲି ବନକଲାଗି କରିବାକୁ ସେ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ବନକ ସାମଗ୍ରୀ ପ୍ରସ୍ତୁତ ପାଇଁ ଅନ୍ୟୁନ ୫/୬ ଘଣ୍ଟା ଆବଶ୍ୟକ। ଆଜି ବନକ ଲାଗି ନିମନ୍ତେ ଆବଶ୍ୟକ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆଣି ଲେପ ପ୍ରସ୍ତୁତି କରାଯିବ। ତେଣୁ କାଲି ବନକଲାଗି କରିବାକୁ ପ୍ରଶାସକଙ୍କ ଅନୁମତି ଲୋଡ଼ା ଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଗତମାସ ରଥଯାତ୍ରା ପରଠାରୁ ଏପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ବା ଶ୍ରୀମୁଖ ସିଙ୍ଗାର କରାଯାଇନି।

Leave a Reply

Your email address will not be published. Required fields are marked *

Back to top button