ଆସାମରୁ ସ୍ଵତନ୍ତ୍ର ସେନା ଆଇନ ହଟିବ

ନୂଆଦିଲ୍ଲୀ : ୨୦୨୩ ଶେଷ ସୁଦ୍ଧା ଆସାମରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ ବିଚ୍ଛିନ୍ନତାବାଦୀଙ୍କ ମୁକାବିଲା ପାଇଁ ରାଜ୍ୟର ପୋଲିସ ବାହିନୀକୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ।
ଭାରତୀୟ ସଂସଦ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଶକ୍ତି ଆଇନ-୧୯୫୮ ପ୍ରଣୟନ କରିଥିଲା। ଏହି ସାମରିକ ଆଇନ ଅଶାନ୍ତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଏ। ସୁରକ୍ଷା ବାହିନୀ ଓ ସେନାକୁ କିଛି ସ୍ୱତନ୍ତ୍ର କ୍ଷମତା ଏହି ଆଇନ ପ୍ରଦାନ କରିଥାଏ। ବିନା ୱାରେଣ୍ଟରେ ଗିରଫ କରାଯାଇପାରିବ। ୧୯୫୮ ସେପ୍ଟେମ୍ବର ୧, ତାରିଖରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଆଫସ୍ପା କାର୍ଯ୍ୟକାରୀ ହୋଇଥିଲା ହିଂସା ରୋକିବାକୁ। କିନ୍ତୁ ଯେଉଁସବୁ ସ୍ଥାନରେ ଏହି ଆଇନ ଲାଗୁ କରାଯାଉଛି ସେଠାକାର ଲୋକେ ଏହାକୁ ବିରୋଧ କରୁଛନ୍ତି।
ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୩୦ ତାରିଖରେ ଆସାମ ସରକାର ୮ଟି ଜିଲ୍ଲାରେ ଆଫସ୍ପାର ପରିସରକୁ ଆଉ ୬ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଥର ଆଫସ୍ପା ଅଧୀନ ଅଞ୍ଚଳ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆସାମ ସରକାର ଗତବର୍ଷ ଏପ୍ରିଲରେ ୮ଟି ଜିଲ୍ଲାରୁ ଓ ଅକ୍ଟୋବରରେ ଗୋଟିଏ ଜିଲ୍ଲାରୁ ଆଫସ୍ପା ହଟାଇଥିଲେ।