ଇଣ୍ଡିଆ ବଦଳରେ ଭାରତ ଲେଖିବାକୁ ନେଇ ପ୍ରଶ୍ନ ଉଠାଇଲେ ମମତା ବାନାର୍ଜୀ ଓ ଶରଦ ପାଓ୍ୱାର

ନୂଆଦିଲ୍ଲୀ : ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯାଇଥିବାରୁ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ସଭାପତି ଶରଦ ପାଓ୍ୱାର ପ୍ରତିକ୍ରିୟା ରଖିଛନ୍ତି।
ଖବର ଅନୁଯାୟୀ ମମତା ବାନାର୍ଜୀ କହିଛନ୍ତି ସେମାନେ ଭାରତର ନାମ ପରିବର୍ତ୍ତନ କରିଛନ୍ତି। ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ଭାରତ’ ଲେଖା ଯାଇଛି। କିନ୍ତୁ ଇଂରାଜୀରେ ଆମେ ଇଣ୍ଡିଆ ଓ ଇଣ୍ଡିଆନ କନଷ୍ଟିଚ୍ୟୁସନ କହିଥାଉ। ହିନ୍ଦୀରେ କହୁ ଭାରତର ସମ୍ବିଧାନ। ଏଥିରେ ନୂଆ କ’ଣ ? ଭାରତ ନାଁ ସାରା ବିଶ୍ୱ ଜାଣେ। ହଠାତ୍ ଏମିତି କ’ଣ ହେଲା ସେମାନଙ୍କୁ ଦେଶର ନାମ ବଦଳାଇବାକୁ ପଡ଼ିଲା ?

ସେହିପରି ଏନସିପି ସଭାପତି ଶରଦ ପାଓ୍ୱାର କହିଛନ୍ତି ଦେଶର ନାଁ ବଦଳାଇବାକୁ କାହାର ଅଧିକାର ନାହିଁ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ନାଁକୁ ନେଇ କେନ୍ଦ୍ରରେ ଶାସିତ ସରକାର କାହିଁକି ବିଚଳିତ ହୋଇପଡୁଛନ୍ତି ମୁଁ ବୁଝିପାରୁନାହିଁ। ସମ୍ବିଧାନ ଅନୁସାରେ ଇଣ୍ଡିଆର ନାଁ ପରିବର୍ତ୍ତିନ କଣ ହୋଇପାରିବ ମୋ ପାଖରେ ଏଭଳି ସୂଚନା ନାହିଁ। କେବଳ ସେତିକି ନୁହେଁ ଇଣ୍ଡିଆ ମେଣ୍ଟର ସବୁ ମୁଖ୍ୟକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ସଭା ଡାକିଥିବା କହିଛନ୍ତି। ସେଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ ବୋଲି ପାଓ୍ୱାର କହିଛନ୍ତି। ଦେଶର ନାଁ ପରିବର୍ତ୍ତନ କରିବାକୁ କାହାର ବି ଅଧିକାର ନାହିଁ ବୋଲି ସେ କହିଛନ୍ତି।