ଓଡ଼ିଶା ଦିବସରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା କାଳିଆ ସହାୟତା

ଭୁବନେଶ୍ୱର : ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକମାନଙ୍କୁ ଦିଆଯାଇଛି।

ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୮୭୭ କୋଟି ଟଙ୍କା କାଳିଆ ସହାୟତା ପଠାଯାଇଛି। ଚାଷୀ ଭାଇମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡିହୋଇ ରହିଛି। ତେଣୁ ଆଜିର ଦିନରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଆର୍ଥିକ ବର୍ଷ ଆରମ୍ଭ କଲୁ। ଓଡ଼ିଶା ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି। ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାକୁ ସେ ଚାଷୀମାନଙ୍କୁ ଦେଇଛନ୍ତି ପରାମର୍ଶ। ସେହିପରି ରାଜ୍ୟରେ ପୁଷ୍ଟିଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ ପ୍ରକାଶ କରି ଚାଷୀମାନଙ୍କୁ ଫସଲ ବିବିଧକରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି କାଳିଆ ଯୋଜନା ଚାଷୀମାନଙ୍କୁ ଆତ୍ମନିର୍ଭର କରିଛି। ଚାଷ ପାଇଁ ଧାରଉଧାରରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି। ଏହି ଅବସରରେ ମାଲକାନଗିରିର ଚାଷୀ ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖି ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button