ଖଣି ଲିଜ୍‌ଧାରୀଙ୍କ ସହ ଅନୈତିକ ବୁଝାମଣା ହୋଇଛି : ଅପରାଜିତା

ଭୁବନେଶ୍ଵର : ରାଜ୍ୟରେ ମାଙ୍ଗାନିଜ୍ ଖଣି ପରିଚାଳନାରେ ହେଉଛି ବ୍ୟାପକ ଅନିୟମିତତା। ନ୍ନତମାନର ମାଙ୍ଗାନିଜ୍‌କୁ ନିମ୍ନମାନର ଦେଖାଇ ଚାଲାଣ କରାଯାଉଛି। ଯାହାଫଳରେ ରାଜ୍ୟ ସରକାରଙ୍କ ଶହ ଶହ କୋଟି ଟଙ୍କାର ରାଜସ୍ଵ ହାତଛଡା ହେଉଛି। ତଥ୍ୟ ପ୍ରମାଣ ସହ ଏହି ଅଭିଯୋଗ ଆଣିଛନ୍ତି ନେଇ ଭୁବନେଶ୍ଵାର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସୋମବାର ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶାରେ ନୂତନ ଭାବେ ନିଲାମ ହୋଇଥିବା କେତେକ ଖଣିର ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ଏପ୍ରିଲ ୬ରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଓ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଏବଂ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଯୋଗୁ କିପରି ହଜାର ହଜାର କୋଟିର ଦୁର୍ନୀତି ହୋଇଛି ତାହା ଏଥିରୁ ଜଣାପଡ଼ିଛି।

ସେ କହିଲେ ରାଜ୍ୟରେ ଖଣି ବ୍ୟବସାୟୀମାନେ ଭଲ ଗ୍ରେଡର ଲୁହା, ମାଙ୍ଗାନିଜ, କ୍ରୋମ ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ କମ୍‌ ମୂଲ୍ୟରେ ବିକ୍ରୟ କରୁଥିବା ଦର୍ଶାଉଥିବାରୁ ରୟାଲଟି ବାବଦକୁ ଅଧିକ ଅର୍ଥ ମିଳୁନି। ଡିଏମ୍‌ଏଫ୍‌ ଓ ଏନ୍‌ଏମ୍‌ଇଟିକୁ ଆବଶ୍ୟକୀୟ ଦେୟ ଫାଙ୍କୁଛନ୍ତି। ଯିଏ ହଜାରେ, ଦୁଇ ହଜାର ଟଙ୍କା ଲାଞ୍ଚ ନେଉଛି ତାକୁ ଗିରଫ କରି ସ୍ଵଚ୍ଛ ସରକାର ଚାଲିଛି ବୋଲି କହୁଛନ୍ତି। ହେଲେ ପ୍ରତିଦିନ ଯେଉଁଠି ଶହଶହ କୋଟିର ଦୁର୍ନୀତି ହେଉଥିଲେ ହେଁ କାହିଁକି ରାଜ୍ୟ ସରକାର ଚୁପ୍ ରହିଛନ୍ତି ? ଖଣି ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରି ବୁଝାମଣା ଯୋଗୁ ରାଜ୍ୟର ବିକାଶ ହେଉନି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି।

ଖଣି ଦୁର୍ନୀତିର ଉଦାହରଣ ଦେଇ ଅପରାଜିତା କହିଲେ ଯେଉଁ ମାଙ୍ଗାନିଜ ଖଣିରୁ ୨୫% ମାଙ୍ଗାନିଜ ଧାତୁରୁ କମ୍ ଅନୁପାତରେ ଧାତୁ ଥାଏ ତାହାକୁ ନିମ୍ନ ଧାତୁ କୁହାଯାଏ। ଏହାର ଟନ୍ ପିଛା ୨୮୯୬ଟଙ୍କା ଧାର୍ଯ୍ୟ ହୋଇଛି। ୨୫ରୁ ୩୫% ଧାତୁ ଥିଲେ ଟନ୍ ପିଛା ୭୧୭୪ଟଙ୍କା ଏବଂ ୩୫ରୁ ୪୬% ଥିଲେ ଟନ୍ ପିଛା ୧୦୩୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି। ହେଲେ ଅଧିକାଂଶ ମାଙ୍ଗାନିଜ୍‌କୁ ନିମ୍ନମାନର ଦର୍ଶାଇ ୨୮୯୬ଟଙ୍କା ହିସାବରେ ରୟାଲଟି ଓ ସମସ୍ତ ଧାର୍ଯ୍ୟ ଦେୟ ଦିଆଯାଉଛି।

ଯେତେବେଳେ ଅଧିକାଂଶ ସ୍ଥାନରେ ୨୫ରୁ ୩୫% ଧାତୁ ଥିବା ମାଙ୍ଗାନିଜ୍ ମିଳୁଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କମ୍‌ ଧାତୁ ଥିବା ମାଙ୍ଗାନିଜ୍ ଖଣି ଦର୍ଶାଯାଇଛି। ଯାହାର ଉଦାହରଣ ହେଉଛି ସିଲଜୋରା କାଲିମାଟି ଖଣି। ଏଠାରେ ନିଲାମ ପୂର୍ବରୁ ଲୋ-ଗ୍ରେଡ ମାଙ୍ଗାନିଜ ସର୍ବନିମ୍ନ ୪.୮୬%ରୁ ୪୦% ଥିବା ଦର୍ଶାଯାଇଥିବାବେଳେ ପରେ ଏହାକୁ ୨୦୨୦-୨୧ରୁ ଦୁଇ ବର୍ଷରେ ଯଥାକ୍ରମେ ୯୮% ଓ ୯୬% ଦର୍ଶାଇ ଦୁର୍ନୀତି କରିବାର ଉପାୟ ଅବଲମ୍ବନ କରାଯାଇଛି। ଖଣି ନିଲାମଧାରୀ ଓ ଟ୍ରେଡର ମିଶି ଯାଇଥିବାରୁ ଉନ୍ନତମାନର ମାଙ୍ଗାନିଜ୍ ପରିବହନ ହେଉଥିବା ନେଇ ଜଣାପଡ଼ୁନି। ଏପରିକି ନିମ୍ନ ମାନର ମାଙ୍ଗାନିଜ୍ ଉତ୍ପାଦନ ହେଉଥିବା ଦର୍ଶାଉଥିଲେ ବି ଅଧିକ ମୂଲ୍ୟରେ ଉନ୍ନତମାନର ମାଙ୍ଗାନିଜ୍ ବିକ୍ରି କରାଯାଉଛି। ଏହାଦ୍ବାରା ରାଜ୍ୟ ସରକାର ୧ଲକ୍ଷ ଟନ୍ ପିଛା ପ୍ରାୟ ୫୦୦କୋଟିରୁ ୮୬୪କୋଟି ଟଙ୍କା ପ୍ରିମିୟମ୍ ଓ ବିଡିଂ ଅର୍ଥ ହରାଉଛନ୍ତି। ଡିଏମ୍‌ଫ୍‌ରେ ବି ୬୪ରୁ ୧୧୧ କୋଟି ପର୍ଯ୍ୟନ୍ତ କମ୍‌ ଅର୍ଥ ଜମା ହେଉଛି।

ରାଜ୍ୟ ସରକାର ଏସବୁ ଜାଣିକି ବି ପଦକ୍ଷେପ ନେଉନାହାନ୍ତି। ଏପରିକି ଶାହା କମିସନଙ୍କ ରିପୋର୍ଟ ପରେ ରାଜ୍ୟ ସରକାର ଖଣି ଦୁର୍ନୀତି ନିବାରଣ ପାଇଁ ଯେଉଁ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା ତାହା ହେଉନି। ଖଣି ଚୋରି ରୋକିବାକୁ ଏସ୍‌ଓପି ଜାରି କରିବାର ନିୟମ ଥିଲେ ବି ଓଡ଼ିଶାରେ ତାହା ହେଉନି। ଆଇନ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ରାଜ୍ୟ ସରକାରଙ୍କ କ୍ଷମତା ଥିଲେ ବି ଖଣି ମାଲିକଙ୍କ ଲିଜ୍ ରଦ୍ଦ କରିବା ପରିବର୍ତ୍ତେ ଦୁର୍ନୀତି କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି। ଅତୀତରେ ଉଚ୍ଚ ନ୍ୟାୟାଳୟ ଏବଂ ମାଇନିଂ ଟ୍ରିବ୍ୟୁନାଲରୁ ରହିତାଦେଶ ଆଣିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେଇଥିବାର ପ୍ରମାଣ ରହିଛି। ଖଣି ଲିଜ୍‌ଧାରୀମାନେ ରାଜ୍ୟ ସରକାର ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକି ଚାଲିଛନ୍ତି, ଅଥଚ ସେମାନଙ୍କ ଲିଜ୍ କାହିଁକି ରଦ୍ଦ କରାଯାଇନାହିଁ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button