ବିଜେଡିରେ ୧୦୦ରୁ ଅଧିକ ବିଭୀଷଣ : ବିଜେପିରେ କେତେ ?

ଭୁବନେଶ୍ଵର : ୨୦୨୪ ସାଧାରଣ ନିର୍ବାଚନ ଆହୁରି ଅନେକ ମାସ ବାକିଅଛି। କିନ୍ତୁ ଏବେଠାରୁ ରାଜନୈତିକ ଦଳରେ ବୟାନବାଜି ଆରମ୍ଭ ହୋଇଗଲାଣି। ନିଜ ଦଳକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ନେତାମାନେ ଏହାକୁ ମାଧ୍ୟମ କରିଛନ୍ତି। ଏହି କ୍ରମରେ ବାସ୍ତବତାକୁ ନଯାଇ ନେତା ଗୁଲିଗପ ପରି ବୟାନ ଦେଉଛନ୍ତି। କେଉଁ ଦଳରେ କେତେ ବିଭୀଷଣ ଅଛନ୍ତି ଏଥିରୁ ଲୋକଙ୍କୁ କ’ଣ ମିଳିବ ? ଲୋକେ ସମସ୍ୟାରେ ରହିଛନ୍ତି ଏହାର ସମାଧାନ ବିବୃତ୍ତିରେ ନୁହେଁ, ସେମାନଙ୍କ ସହିତ ଠିଆ ହେବାକୁ ପଡିବ। ହେଲେ ରାଜ୍ୟରେ ବିରୋଧିଦଳ ଗୁଡିକ ସେମିତି କିଛି କରୁଥିବା ମନେ ହେଉନି। କେବଳ ଆତ୍ମପ୍ରଚାର ପାଇଁ ପ୍ରତିଯୋଗିତା ଚଳାଇଥିବା ଦେଖାଯାଉଛି।

ଖବର ଅନୁଯାୟୀ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିକଟରେ ଗଞ୍ଜାମ ଗସ୍ତରେ ଯାଇ କହିଥିଲେ ବିଜେଡ଼ିର ୧୧୭ ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି। ହେଲେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବିଜେଡି ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି। ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା। ଏବେ ବିଜେଡ଼ିରେ ଓ ରାଜ୍ୟ ସରକାରରେ ଚାଲିଥିବା ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦକୁ ଶେଷ କରିବା ପାଇଁ ବିଜେଡିରୁ ୧୦୦ରୁ ଅଧିକ ବିଭୀଷଣ ହୋଇ ବାହାରି ଧର୍ମର ସାଥ ଦେବେ। ତାହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ। ବିଜେଡି ମଧ୍ୟ ଏହାର ଜବାବରେ ୨୦୧୯ ନିର୍ବାଚନର ଉଦାହରଣ ଦେଇଛି।

ଅନ୍ୟପକ୍ଷରେ ସାଧାରଣରେ ଆଲୋଚନା ହେଉଛି ଯଦି ବିଭୀଷଣମାନେ ରାଜନୈତିକ ଦଳର କ୍ଷତି କରିପାରୁଛନ୍ତି ତେବେ ଏତେ ପ୍ରଚାର ଓ ଅର୍ଥ ବିନିମୟ ହେଉଛି କାହିଁକି ? ନିର୍ବାଚନ ସମୟରେ କେବଳ ବିଭୀଷଣମାନଙ୍କୁ ଖୋଜିଲେ ଶାସନ ଗାଦି ମିଳିଯାଆନ୍ତା। ଆଉ କେତେକ କହୁଛନ୍ତି ଓଡିଶାରେ ୨୦୦୦ ନିର୍ବାଚନକୁ ଦେଖିଲେ ଅନ୍ୟ ନିର୍ବାଚନ ଗୁଡିକରେ ବିଜେପି ପ୍ରଦର୍ଶନ ଆଶାନୁରୂପ ହେଉନି। ଏ କ’ଣ ବିଭୀଷଣମାନଙ୍କ ପ୍ରଭାବ ? କେଉଁମାନେ ରାଜ୍ୟରେ କ୍ଷମତାସୀନ ସରକାରଙ୍କ ସହିତ ବୁଝାମଣା କରି ଦଳକୁ କ୍ଷତି ପହଞ୍ଚାଉଥିଲେ ? ସେମାନେ କିଏ ପ୍ରଥମେ ଖୋଜିବା ଆବଶ୍ୟକ। ଏହାଛଡା ଦଳରେ ଅହଙ୍କାରୀ ଓ ସୁବିଧାବାଦୀ ଗୋଷ୍ଠୀଙ୍କ ପ୍ରଭାବ ସଙ୍ଗଠନକୁ ଦୁର୍ବଳ କରୁଛି। ଯଦି ରାଜ୍ୟ ନେତୃତ୍ଵ ଏସବୁ ପ୍ରତି ଗୁରୁତ୍ଵ ନଦିଏ ତେବେ ବିଜେପିର ରାଜ୍ୟ ଶାସନକ୍ଷମତା ଦଖଲ ଆଶା ବୟାନବାଜିରେ ସୀମିତ ରହିଯିବ।

Leave a Reply

Your email address will not be published. Required fields are marked *

Back to top button