ଚେହେରା ଦେଖାଇ ଲୁଟୁଥିଲେ ମହିଳା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରେ ମହିଳା ଲୁଟେରାଙ୍କ ଲୁଟିବାର ନୂଆ ତରିକା। ସୁନ୍ଦର ଚେହେରା ଦେଖାଇ ଫସାଉବାକୁ କରୁଥିଲେ ଉଦ୍ୟମ। ଯିଏ ଫସିଲା ସିଏ ଲୁଟର ଶିକାର ହେଲା। ଆଉ ଯିଏ ଫସିଲା ତା’ଠାରୁ ଜୋର ଜବଦସ୍ତି ଛଡ଼ାଇ ନେଉଥିଲେ ଟଙ୍କା ଓ ମୋବାଇଲ। ବିରୋଧରେ କଲେ ଅସଦାଚରଣର ବାହାନା କରି ଚିତ୍କାର କରୁଥିଲେ। ଏପରି ଅଭିଯୋଗରେ କମିଶନରେଟ୍‌ ପୋଲିସ୍‌ ଦୁଇ ସୁନ୍ଦରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ ସହିଦ୍‌ ନଗର ବସ୍ତିର ପପୁ ଦିଗଲ ଶୁକ୍ରବାର ଅପରାହ୍ନରେ ରେଳ ଟିକେଟ କାଟିବାକୁ ମାଷ୍ଟର କ୍ୟାଣ୍ଟିନ୍‌ ଯାଇଥିଲେ। ଫେରିବା ବେଳେ ହଟ୍‌ ଡ୍ରେସ୍‌ ପିନ୍ଧିଥିବା ଦୁଇ ମହିଳା ତାଙ୍କୁ ଅଚାନକ ଅଟକାଇ ୨୧୦୦ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ପପୁ ବିରୋଧ କରିବାରୁ ଦୁଇ ମହିଳା ଚିତ୍କାର କରି ଅସଦାଚରଣ କରୁଥିବା କହିବାରୁ ସେଠାରେ ଉପସ୍ଥିତ କିଛି ଲୋକ ୧୧୨କୁ ଡାଇଲ୍‌ କରିଥିଲେ। କମିଶନରେଟ୍‌ ପୋଲିସ୍‌ ପହଞ୍ଚି ସେମାନଙ୍କୁ ଥାନାକୁ ନେଇ ଜେରା କରିଥିଲା। ଦୁଇ ମହିଳା ସ୍ୱୀକାର କରିଛନ୍ତି ସୁନ୍ଦର ରୂପ ଦେଖାଇ ଟ୍ରେନ୍‌ରୁ ଓହ୍ଲାଉଥିବା ଆଗନ୍ତୁକଙ୍କୁ ଫସାଇ ଟଙ୍କା ରୋଜଗାର କରୁଥିଲେ। କମିଶନରେଟ୍‌ ପୋଲିସ୍‌ ମହିଳାଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଖବର ମିଳିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଜୋନ୍‌-୧ ଏସିପି ମାନସ ରଞ୍ଜନ ଗଡ଼ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button