ଅପରାଜିତାଙ୍କ ପରେ ୫-ଟି ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସେ କହିଛନ୍ତି ୫-ଟି ସଚିବ ଯେଉଁ ଗସ୍ତ କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ହେଉଛି ନା ନାହିଁ।

ବିଜୟ କହିଛନ୍ତି ପାଣ୍ଡିଆନଙ୍କୁ ସେହିଭଳି କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଆରଟିଆଇ ପ୍ରଶ୍ନର ଉତ୍ତରରେ ସିଏମଓ ଏହି ସୂଚନା ଦେଇଛି। ଯଦି ନିର୍ଦ୍ଦେଶ ଦିଆଯାଇନି ତେବେ ଏହା ଜଘନ୍ୟ କଥା। ଜଣେ ସଚିବ ସ୍ତରୀୟ ବ୍ୟକ୍ତି ହେଲିକପ୍ଟରରେ ଯାଉଥିବା ବେଳେ ତାଙ୍କ ପାଇଁ ପୋଲିସ ବନ୍ଦୋବସ୍ତ କରାଯାଉଛି। ତାଙ୍କ ପାଇଁ ମାଳମାଳ ଗାଡ଼ି ଓ କେତେକ ସ୍କୁଲ ବସକୁ ନିୟୋଜିତ କରାଯାଇଛି। ଏସବୁ କାର୍ଯ୍ୟ ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ହେଉଛି ତେବେ ଏହା ସଚିବଙ୍କ କଣ୍ଡକ୍ଟ ରୁଲର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଏଭଳି କରିବାର ଅଧିକାର ତାଙ୍କୁ ଦେଲା କିଏ ?

ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ହେଉଛି। ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ନା ନାହିଁ। ଟିଭି କିମ୍ବା ଖବରକାଗଜ, ସୋସିଆଲ ମିଡ଼ିଆ ଚାରିଆଡେ଼ ପ୍ରଚାର ହେଉଛି। ମୁଖ୍ୟମନ୍ତ୍ରୀ ତ ଦେଖୁଥିବେ। ତାହେଲେ ମୁଖ୍ୟମନ୍ତ୍ରୀ କ’ଣ କିଛି ଜାଣିପାରୁ ନାହାଁନ୍ତି ? ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ଏସବୁ କାର୍ଯ୍ୟକ୍ରମ ଚାଲୁଥିଲେ ତାହାକୁ ବନ୍ଦ କରୁନାହାନ୍ତି କାହିଁକି ? ଯଦି ଜଣେ ଅଫିସର ବିନା ଅନୁମତିରେ କାର୍ଯ୍ୟ କରୁଛନ୍ତି ତେବେ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେତେ ସମୟ ଲାଗିବ ? ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେବା ଉଚିତ୍।

ବିଜୟ କହିଲେ ଗସ୍ତ ସମୟରେ କୌଣସି ଲୋକ ସଚିବଙ୍କୁ ଅପ୍ରତ୍ୟାଶିତ ଭାବେ ଭେଟି କିଛି କହିଲେ ତାହା ଅଲଗା କଥା। କିନ୍ତୁ ସଚିବଙ୍କ ଏବେର ସବୁ ଗସ୍ତ ସଂପୂର୍ଣ୍ଣ ପ୍ରାୟୋଜିତ। କାରଣ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି କିଏ କେତେ ସଂଖ୍ୟକ ଲୋକଙ୍କୁ ଗାଡ଼ିରେ ବୋହି ଆଣିବେ। ଏହା ବଡ଼ ବିଚିତ୍ର କଥା। ଏଭଳି କରିବା ସଂପୂର୍ଣ୍ଣ ଭାବେ ନିୟମ ବିରୋଧୀ। ସଚିବ ନିୟମ ଭଙ୍ଗୁଥିବାରୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ସେ ମତ ଦେଇଛନ୍ତି।

janatakhabar.in

ସେହିପରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଲେଖିଥିଲେ ଉନ୍ନୟନମୂଲକ କାମର ତଦାରଖ ପାଇଁ ଯାଉଥିବା ସଚିବଙ୍କୁ ଏତେ ଭୟ କାହିଁକି ? ଯଦି ଜଣେ ସଚିବଙ୍କ ସୁରକ୍ଷା ପାଇଁ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ତେବେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିସନରଙ୍କ ସୁରକ୍ଷା ପାଇଁ କେଉଁ ଭଳି ସୁରକ୍ଷା ବ୍ୟବସ୍ଥା ହେବ। ସେ ନେଇ ପୋଲିସ୍ ଡିଜି ସ୍ପଷ୍ଟିକରଣ ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଟ୍ୱିଟକୁ ଓଡ଼ିଶା ପୋଲିସ୍ ଡିଜିଙ୍କୁ ଟ୍ୟାଗ୍ କରିବା ସହ ବରଗଡ଼ ଗସ୍ତରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କ ଏକ ତାଲିକା ମଧ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button