ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ଵର : ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ।
ଖବର ଅନୁଯାୟୀ ବିଭିନ୍ନ ଦାବି ପୂରଣ ନେଇ ବସ୍ ମାଲିକ ସଂଘ ଆସନ୍ତା ୧୦ ତାରିଖରେ ବସ୍ ଧର୍ମଘଟ ଡାକରା ଦେଇଥିଲା। ଆଜି ସିଏମ୍ଓ ଓ ବସ୍ ମାଲିକ ସଂଘର ବୈଠକ ପରେ ଆଲୋଚନା ସକାରାତ୍ମକ ହୋଇଥିବା ବସ୍ ସଂଘ ପକ୍ଷରୁ କୁହାଯାଇଥିଲା। ଅପରାହ୍ନରେ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ୍ ଚଳାଇବେ। ୧୬୦୦ରୁ ୧୦୦୦ ପଞ୍ଚାୟତରୁ ବ୍ଲକ ଓ ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ବସ୍ ଚାଲିବ। ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସ୍ରେ ଆମର ସମସ୍ୟା ନାହିଁ। ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ବସ୍ ୩୧ ପର୍ଯ୍ୟନ୍ତ ଚାଲିବାର ନାହିଁ। ଏବେ ଜିଲ୍ଲା ମୁଖ୍ୟାଳୟ ବସ୍ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରହିଲା ବୋଲି ସେ କହିଛନ୍ତି।



























