ଜିଲ୍ଲାପାଳଙ୍କୁ ଡମ୍ପର ଚଢ଼ାଇ ମାରିଦେବାକୁ ଉଦ୍ୟମ

ମୁମ୍ବାଇ : ଡମ୍ପର ଚଢ଼ାଇ ଜିଲ୍ଲାପାଳ ଓ ଦୁଇ ସରକାରୀ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ। ମହାରାଷ୍ଟ୍ର ବୀଡ଼ ଜିଲ୍ଲାର ଗେବରାଇ ତହସିଲ ଅଞ୍ଚଳରେ ଏହି ଘଟଣାଟି ଘଟିଥିବା ବେଳେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରି ଡମ୍ପର ଜବତ କରିଛି।

ଖବର ଅନୁଯାୟୀ ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ଗୁରୁବାର ଭୋର ସମୟରେ ଔରାଙ୍ଗାବାଦରୁ ଫେରୁଥିଲେ। କାରରେ ଥିଲେ ଡ୍ରାଇଭର ଓ ବ୍ୟକ୍ତିଗତ ସୁରକ୍ଷା କର୍ମୀ। ଧୁଲେ-ସୋଲାପୁର ରାସ୍ତାରେ ସେମାନେ ବୀଡ଼ ଅଭିମୁଖେ ଆସୁଥିବା ବେଳେ ଗେବରାଇ ତହସିଲର ମାଦଳମୋହି ଗାଁ ନିକଟରେ ଏକ ନମ୍ବର ବିହୀନ ବାଲି ବୋଝେଇ ଡମ୍ପରକୁ ଦେଖି ଅଟକାଇବାକୁ କହିଥିଲେ। ଡମ୍ପରକୁ ଅଟକାଇବାକୁ ଜିଲ୍ଲାପାଳଙ୍କ କାର ଡ୍ରାଇଭର ସିଗ୍‌ନାଲ ଦେଇଥିଲେ ହେଁ ନଅଟକିବାରୁ କାରକୁ ଡମ୍ପର ଆଗକୁ ନେବାକୁ ଜିଲ୍ଲାପାଳ କହିଥିଲେ। ହେଲେ ଡମ୍ପରଟି ନଅଟକି କାରକୁ ଧକ୍କା ଦେଇ ଚାଲି ଯିବାକୁ ଚେଷ୍ଟାକରି ଗାଡ଼ିର ଗତି ବଢ଼ାଇ ଦେଇଥିଲା। ଏହାଦେଖି ଜିଲ୍ଲାପାଳଙ୍କ ଡ୍ରାଇଭର ସତର୍କ ହୋଇ କାରକୁ ଦ୍ରୁତଗତିରେ ରାସ୍ତାରୁ ତଳକୁ ଗଡାଇ ଦେଇଥିଲେ। ପରେ ଡମ୍ପରର ପିଛା କରିଥିଲେ।

ଡମ୍ପରଟି ମୁଖ୍ୟ ରାସ୍ତା ଛାଡ଼ି ଏକ ଭିତିରି ରାସ୍ତାକୁ ଯିବାପରେ କାର ପିଛା କରୁଥିବା ଦେଖି ହଠାତ୍ ରାସ୍ତା ଉପରେ ବାଲି ଅନ୍‌ଲୋଡ କରି ଦେଇଥିଲା। ଫଳରେ କାରଟି ଆଗକୁ ଯିବା ସମ୍ଭବ ନହେବାରୁ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଦୌଡ଼ି ଯାଇ ଡମ୍ପର ଉପରେ ଚଢ଼ି ଯାଇଥିଲେ। ଗାଡ଼ି ଅଟକାଇବାକୁ ଡ୍ରାଇଭରକୁ କହିଥିଲେ। କିନ୍ତୁ ସେ ତାଙ୍କୁ ଧମକ ଦେଇ ଗାଡ଼ିକୁ ଆଗକୁ ବଢ଼ାଇଥିଲା କିଛି ବାଟ ଯିବା ପରେ ଡମ୍ପର ରଖି ଫେରାର ହୋଇଯାଇଥିଲା। ଡମ୍ପର ଡ୍ରାଇଭର ସହ ଧସ୍ତାଧସ୍ତିରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିଲେ।

ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ବୀଡ଼ ଇତି ମଧ୍ୟରେ ଏସ୍‌ପିଙ୍କୁ ଫୋନ୍ କରି ଘଟଣା ବିଷୟରେ କହିସାରିଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଡ୍ରାଇଭରଙ୍କୁ ଧରିବା ସହିତ ଡମ୍ପରଟିକୁ ସିଜ୍ କରିଥିଲେ। ଗିରଫ ଡ୍ରାଇଭରର ନାଁ ପ୍ରକାଶ କୋକରେ। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ ଗେବରାଇ ପୋଲିସ୍ ଡମ୍ପର ଡ୍ରାଇଭର ନାଁରେ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *

Back to top button