ଠିକାଦାରଙ୍କୁ ୩୦ ଲକ୍ଷ ବଟି ମାଗି ବୋମାମାଡ କଲେ ଦୁର୍ବୃତ୍ତ

ବ୍ରହ୍ମପୁର : କେ.ନୂଆଗାଁ ଥାନା ଦାମୋଦରପୁର ଠିକାଦାରଙ୍କ କ୍ୟାମ୍ପ ନିକଟରେ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି। ଏହାଛଡା କର୍ମଚାରୀଙ୍କୁ ଖଣ୍ଡାରେ ହାଣି ତାଙ୍କ ଠାରୁ ୧୦ ହଜାର ଟଙ୍କା ଓ ସୁନା ମୁଦି ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଗୁରୁବାର ୬ ଜଣ ଦୁର୍ବୃତ୍ତ କ୍ୟାମ୍ପକୁ ଆସିଥିଲେ। ସେମାନେ କର୍ମଚାରୀ ରଞ୍ଜନ ପଣ୍ଡାଙ୍କ ଫୋନରୁ ଠିକାଦାର ମଙ୍ଗୁଳୁ ପାତ୍ରଙ୍କୁ ଫୋନ କରି ୩୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ପରେ ରଞ୍ଜନଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ଓ ସୁନା ମୁଦି ଛଡାଇ ନେଇଯାଇଥିଲେ। କ୍ୟାମ୍ପରେ ଥିବା ମିକ୍ଚର ମେସିନ ଉପରକୁ ଦୁଇଟି ବୋମାମାଡ଼ କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଇଟା ଟ୍ରେଲର, ୩୦ ଲକ୍ଷ ଟଙ୍କା ନମିଳିଲେ ଆଗକୁ ଫିଲ୍ମ ଦେଖିବ ବୋଲି ଧମକ ଦେଇ ଚାଲିଯାଇଥିଲେ। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।କେ.ନୂଆଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button