ନାୟିକା ଭୂମିକା ପାଇଁ ରାତି ବିତାଇବାକୁ ସର୍ତ୍ତ

ଭୁବନେଶ୍ଵର : ଓଡ଼ିଆ ସିନେମା ନିର୍ଦ୍ଦେଶକଙ୍କ ବିରୋଧରେ କାଷ୍ଟିଂକାଉଚ୍‌ ଅଭିଯୋଗ। ଜଣେ ଯୁବତୀ ଗଣମାଧ୍ୟମରେ ଖୁଲସା କରିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଯୁବତୀଜଣଙ୍କ କହିଛନ୍ତି ଅଢ଼େଇ ବର୍ଷ ତଳେ ‘ଦର୍ପଣ’ ନାମକ ଏକ ଚଳଚ୍ଚିତ୍ରର ଅଡିସନ୍‌ ପାଇଁ ଫେସ୍‌ବୁକ୍‌ରେ ବିଜ୍ଞାପନ ଦିଆଯାଇଥିଲା। ଏଥିରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବାରୁ ତାଙ୍କୁ ଭୁବନେଶ୍ଵର ଡକାଯାଇଥିଲ। ଅଡିସନ୍‌ ଦେବାର ପରଦିନ ଏକ ଅଜଣା ନମ୍ବରେ ତାଙ୍କୁ ଫୋନକରି କୁହାଗଲା ସେ ଅଡିସନ୍‌ରେ ଯୋଗ୍ୟ ବିବେଚିତ ହୋଇଛନ୍ତି। କଲ କରିଥିବା ବ୍ୟକ୍ତିଜଣକ ନିଜକୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲେ ନାୟିକା ଭୂମିକା ପାଇବାକୁ ହେଲେ ନିର୍ଦ୍ଦେଶକଙ୍କ ସହ ରାତି ବିତାଇବାକୁ ପଡ଼ିବ। ଏଭଳି ସର୍ତ୍ତରେ ରାଜି ନହୋଇ ଫୋନ୍‌ କାଟି ଦେଇଥିଲେ ଯୁବତୀ। ଏହା ପରେ ମଧ୍ୟ ତାଙ୍କୁ ବିଭିନ୍ନ ନମ୍ବରରୁ ଫୋନ୍‌ କରି ଅଭିନୟ କରିବାକୁ କୁହାଯାଇଥିଲା। ହେଲେ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ପରେ ଯୁବତୀଜଣକ ଦୂରେଇ ଯାଇଥିଲେ।

ଏସବୁ ପରେ ସେଇ ନିର୍ଦ୍ଦେଶକ ସପ୍ତାହକ ତଳେ ପୁଣି ଯୁବତୀଙ୍କୁ ଯୋଗାଯୋଗ କରିବା ସହିତ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଭିଡିଓ ଲିଙ୍କ୍‌କୁ ତାଙ୍କ ମେସେଞ୍ଜରକୁ ପଠାଇଥିଲେ। ଭିଡିଓଟି ଦେଖିବା ପରେ ଯୁବତୀ ତାଙ୍କୁ କିଛି ପ୍ରଶ୍ନ କରିବାରୁ ସେ କ୍ଷୁବ୍ଧ ହୋଇ ମନଇଚ୍ଛା ଗାଳି ଦେଇଥିଲେ। ଏପରିକି ଚରିତ୍ର ସଂହାର କରିବାକୁ ମଧ୍ୟ ପଛାଇନଥିଲେ। ଯୁବତୀଜଣକ କହିଛନ୍ତି ‌ଅଭିନୟ କରାଇବା ନାଁରେ ନିର୍ଦ୍ଦେଶକ ଅନେକ ଯୁବତୀଙ୍କୁ ଶୋଷଣ କରିଛନ୍ତି। ଯେଉଁସବୁ ଚଳଚ୍ଚିତ୍ର ନାଁରେ ବିଜ୍ଞାପନ ଦେଇ ଯୁବତୀଙ୍କୁ ଫସାଉଛନ୍ତି ସେଗୁଡ଼ିକ ଆଜି ପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ। ଏହା ପଛରେ ଏକ ରାକେଟ୍‌ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ଥାନାରେ କୌଣସି ଅଭିଯୋଗ ନ କରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Back to top button