ନୂଆ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବକୁ ବୟକଟ କରିବାକୁ ୧୯ଟି ଦଳର ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ। ଏହାକୁ କଂଗ୍ରେସ ସମେତ ୧୯ଟି ବିରୋଧ ଦଳ ବୟକଟ କରିବାକୁ ଘୋଷଣା କରିଛନ୍ତି। ଏହି ଗୁଡ଼ିକ ମଧ୍ୟରେ ଡିଏମ୍‌କେ, ଆପ୍ , ଟିଏମ୍‌ସି, ଶିବ ସେନା (ୟୁବିଟି), ସମାଜବାଦୀ ପାର୍ଟି, ସିପିଆଇ, ଜେଏମ୍‌ଏମ୍‌, କେରଳ କଂଗ୍ରେସ (ମଣି), ଭିସିକେ, ରାଷ୍ଟ୍ରୀୟ ଲୋକଦଳ (ଆରଏଲ୍‌ଡି), ଜେଡି (ୟୁ), ଏନ୍‌ସିପି, ସିପିଆଇଏମ୍‌, ରାଷ୍ଟ୍ରୀୟ ଜନତା ଦଳ (ଆରଏଲଡି), ଇଣ୍ଡିଆନ୍ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମ୍‌ଏଲ), ନ୍ୟାଶନାଲ କନଫରେନ୍ସ (ଏନ୍‌ସି), ଆରଏସ୍‌ପି ଓ ଏମ୍‌ଡିଏମ୍‌କେ ରହିଛନ୍ତି।

ବିରୋଧୀ ଦଳଗୁଡ଼ିକର ଦାବି ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଉଦ୍‌ଘାଟନ କରି ମାଇଲେଜ ନେବାକୁ ପ୍ରୟାସ କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳଗୁଡ଼ିକ ମିଳିତ ବିବୃତ୍ତିରେ ଦର୍ଶାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂପୂର୍ଣ୍ଣ ଏଡ଼ାଇ ଦେଇ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ନିଷ୍ପତ୍ତି ଆମ ଗଣତନ୍ତ୍ର ପ୍ରତି କେବଳ ଅପମାନ ନୁହେଁ ଆକ୍ରମଣ ସଦୃଶ ହୋଇଛି। ରାଷ୍ଟ୍ରପତି କେବଳ ଦେଶର ମୁଖ୍ୟ ନୁହନ୍ତି ସେ ସଂସଦର ଜଣେ ଅବିଚ୍ଛେଦ୍ୟ ଅଂଶ। ରାଷ୍ଟ୍ରପତିଙ୍କ ବିନା ସଂସଦ ଚାଲିପାରିବ ନାହିଁ। ତଥାପି ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂଆ ସଂସଦ ଭବନର ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ସହିତ ସମ୍ବିଧାନରେ ରହିଥିବା ନିୟମର ଉଲ୍ଲଂଘନ ମଧ୍ୟ। ଦେଶ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ପାଇ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଣଦେଖା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button