ପାରାଦୀପ ଜିଏସଟି ଅଧିକାରୀ ଗିରଫ

ପାରାଦୀପ : ମାମଲା ରଫାଦଫା କରିବାକୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବାଣିଜ୍ୟକର ଓ ଜିଏସଟିର ପାରାଦୀପ ଏନଫୋର୍ସମେଣ୍ଟ ୟୁନିଟ୍ ଅଫିସର ଚିତ୍ତରଞ୍ଜନ ମହାନ୍ତିଙ୍କୁ ଭିଜିଲାନ୍ସଗିରଫ କରିଛି। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଓ ଅଫିସ ଆଲମାରିରୁ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କା କେଉଁ ସୂତ୍ରରୁ ଆସିଛି ଭିଜିଲାନ୍ସ ତାହାର ଖୋଳତାଡ଼ କରୁଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସଟି ମାମଲା ବନ୍ଦ କରିବା ପାଇଁ ସେଥିରେ ଛନ୍ଦି ହୋଇଥିବା ବ୍ୟକ୍ତିଙ୍କ ଠାରୁ ଚିତ୍ତରଞ୍ଜନ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନରେ ପାରାଦୀପ ସ୍ଥିତ ଅଫିସରେ ଚିତ୍ତରଞ୍ଜନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଏହା ପରେ ଚିତ୍ତରଞ୍ଜନଙ୍କ ଅଫିସ ଚାମ୍ବର, କଟକ ସିଡିଏରେ ୨ ମହଲା କୋଠା, କେନ୍ଦ୍ରାପଡ଼ାର କପିଳେଶ୍ଵରରେ ପୈତୃକ ଘରେ ମଧ୍ୟ ଏକାଧିକ ଟିମ୍ ଚଢ଼ଉ କରୁଛନ୍ତି। ଏ ନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।