ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ପରିବାର ପାଇଁ ସହୟତା ରାଶି ବୃଦ୍ଧି

ଭୁବନେଶ୍ଵର : ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ସହାୟତା ରାଶି ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ୟାପ୍ରାଣୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲେ ଅନୁକମ୍ପାମୂଳକ ରାଶି ପରିମାଣ ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଗୁରୁତର ଆହତଙ୍କ କ୍ଷେତ୍ରରେ ସହାୟତା ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି। ୬୦ ପ୍ରତିଶତରୁ କମ୍‌ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଓ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା। ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଚିକିତ୍ସାର ଆବଶ୍ୟକତା ପଡ଼ିଲେ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ଚିକିତ୍ସାର ସମୟ ଏକ ସପ୍ତାହରୁ କମ୍‌ ହେଲେ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସହିତ ୫ ହଜାର ଟଙ୍କା ସହାୟତା ଦିଆଯିବ।

ସେହିପରି ଗାଈ ବା ମଇଁଷିଙ୍କ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୩୭,୫୦୦ ଟଙ୍କା ଓ ବଳଦ ମୃତ୍ୟୁ କ୍ଷେତ୍ରରେ ସହାୟତା ୩୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା। ବାଛୁରୀ ମୃତ୍ୟୁ ପାଇଁ ସହାୟତା ପରିମାଣ ୨୫୦୦ ଟଙ୍କାରୁ ୫୦୦୦ ଟଙ୍କା, ଛେଳିମେଣ୍ଢାଙ୍କ ମୃତ୍ୟୁ କ୍ଷେତ୍ରରେ ୨୦୦୦ ଟଙ୍କାରୁ ୪୦୦୦ ଟଙ୍କା ଓ ମେଣ୍ଢା ଛୁଆ ମୃତ୍ୟୁ କ୍ଷେତ୍ରରେ ୭୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହାଛଡା ଫସଲ କ୍ଷୟକ୍ଷତି କ୍ଷେତ୍ରରେ ସହାୟତା ପରିମାଣ ବଢିଛି। ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଚ୍ଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି। ସେହିପରି ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ, ବିଜୁ ପକ୍‌କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ। ପୂର୍ବରୁ ଏହି ସହାୟତା ପରିମାଣ ୧୦,୦୦୦ ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *

Back to top button