ଭଦ୍ରକ ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ତାମିଲନାଡୁରୁ ଗିରଫ

ଭଦ୍ରକ : ପୁଜାରୀସାହି ନୀଳକଣ୍ଠ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସାଗର ଦାସକୁ ପୋଲିସ ତାମିଲନାଡୁରୁ ଗିରଫ କରିଛି। ଏସଡିପିଓ ସୌରଭ ଓତା ଏହି ସୂଚନା ଦେଇଛନ୍ତିl

ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ଓତା କହିଛନ୍ତି ନୀଳକଣ୍ଠ ସହିତ ସାଗରର ପୂର୍ବ ଶତ୍ରୁତା ରହିଥିଲାl ଘଟଣାଦିନ ଦୁହିଁଙ୍କର ରାଜଘାଟ ପୋଲ ନିକଟରେ ଦେଖା ହୋଇଥିଲା। ସାଗର ତାକୁ ଡାକିବାରୁ ଦୁଇଜଣ ଅଟୋରେ ଜାତୀୟ ରାଜପଥ ଧାମରା ବ୍ରିଜ୍ ନିକଟକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସାଗର ଏକ ଘାସକଟା କତାରେ ନୀଳକଣ୍ଠର ମୁଣ୍ଡ, ମୁହଁ ଓ ବେକକୁ ହାଣିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା।

ମୃତକ ଭାଇ ଅଜୟ ଦାସଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଏଥିରେ ସମ୍ପୃକ୍ତ ସାଗରର ଶାଶୁ ସଂଜୁ ମୁଖୀ, ଶଳା ଅମର ମୁଖୀ ଓ ସ୍ତ୍ରୀ ଚାନ୍ଦିନୀ ମୁଖୀକୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରିସାରିଛି। ହେଲେ ମୁଖ୍ୟ ଆସାମୀକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସ ଟ୍ରାକିଂକରି ତିନିମାସ ପରେ ତାମିଲନାଡୁରୁ ଗିରଫ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅମିତାଭ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button