ଭାରତର ମୁସଲମାନମାନେ ଭଲରେ ଅଛନ୍ତି : ସୀତାରମଣ

ନୂଆଦିଲ୍ଲୀ : ପାକିସ୍ତାନର ମୁସଲମାନମାନଙ୍କ ତୁଳନାରେ ଭାରତର ମୁସଲମାନମାନେ ବହୁତ ଭଲରେ ଅଛନ୍ତି। ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଖବର ଅନୁଯାୟୀ ବିଶ୍ଵ ବ୍ୟାଙ୍କ୍‌, ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’, ‘ଜି୨୦ ଅର୍ଥମନ୍ତ୍ରୀ’ ଓ ‘ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଗଭର୍ଣ୍ଣର୍ସ’ର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଗତକାଲିଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଛନ୍ତି। ଭାରତରେ ପୁଞ୍ଜି ବିନିଯୋଗ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ‘ମୁଁ ଭାବୁଛି ଏହାର ଉତ୍ତର ସେହି ନିବେଶକଙ୍କ ନିକଟରେ ଅଛି ଯେଉଁମାନେ ଭାରତ ଯାଇ ପୁଞ୍ଜି ନିବେଶ କରୁଛନ୍ତି। ଯେଉଁମାନେ ପୁଞ୍ଜି ନବେଶ ପାଇଁ ଆଗ୍ରହୀ ଅଛନ୍ତି ମୁଁ ସେମାନଙ୍କୁ ଏତିକି କହିବି ଅନ୍ୟ କାହାଠାରୁ କିଛି ଶୁଣିବା ପରିବର୍ତ୍ତେ ଭାରତରେ କ’ଣ ଘଟୁଛି ସେମାନେ ଥରେ ଆସି ଦେଖନ୍ତୁ।’

ପିଟରସନ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସ (ପିଆଇଆଇଇ)ର ​​ସଭାପତି ଆଡାମ ଏସ୍ ପୋଜେନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୀତାରମଣ ଏପରି କହିଛନ୍ତି। ଆଡାମ ଏସ୍ ପୋଜେନ ସୀତାରମଣଙ୍କୁ ପାଶ୍ଚାତ୍ୟ ଗଣମାଧ୍ୟମରେ ବିରୋଧୀ ଦଳର ସାଂସଦ ମାନ୍ୟତା ହରାଇବା ଏବଂ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ବିରୋଧରେ ହିଂସା ନେଇ ପ୍ରଶ୍ନ ପଚାରିଥିଲେ।

ନିର୍ମଳା କହିଥିଲେ ବିଶ୍ଵରେ ସବୁଠାରୁ ଅଧିକ ମୁସଲମାନ ଜନସଂଖ୍ୟା ଦେଶ ମଧ୍ୟରେ ଭାରତ ଦ୍ଵିତୀୟ। ବାସ୍ତବରେ ଯଦି ସେମାନଙ୍କ ଜୀବନ ଭାରତରେ କଷ୍ଟସାଧ୍ୟ ହୋଇଥାନ୍ତା ତେବେ କ’ଣ ୧୯୪୭ ମସିହା ତୁଳନାରେ ମୁସ୍‌ଲମାନ ଜନସଂଖ୍ୟା ବୃଦ୍ଧି ପାଇଥାନ୍ତା ?’ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପାକିସ୍ତାନକୁ ନିନ୍ଦା କରି ସୀତାରମଣ କହିଛନ୍ତି ଭାରତ ଦୁଇ ଭାଗରେ ବିଭକ୍ତ ହେବା ପରେ ଗଠିତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ କେତେକ ମୁସଲମାନ ସଂପ୍ରଦାୟର ବିଲୋପ ହୋଇଛି।

Leave a Reply

Your email address will not be published. Required fields are marked *

Back to top button