ଭୋଟରଙ୍କୁ ପ୍ରଲୋଭନ ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭନ କରିବା ଅଭିଯୋଗ ଭାରତୀୟ ଜନତା ପାର୍ଟି ବା ବିଜେପି ପ୍ରାର୍ଥୀଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୭୧ଏଚ ଆଧାରରେ ରୁଜୁ ହୋଇଛି ମାମଲା।

ଖବର ଅନୁଯାୟୀ କର୍ଣ୍ଣାଟକର ବିଲଗି ନିର୍ବାଚନ ମଣ୍ଡଳରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି ମନ୍ତ୍ରୀ ମୁରୁଗେସ ନିରାନି। ତାଙ୍କ ଚିନି ଫ୍ୟାକ୍ଟ୍ରି ଷ୍ଟାଫ କ୍ଵାଟର୍ସରୁ ୯୬୩ଟି ରୁପା ଦୀପ ଜବତ ହୋଇଛି। ଯାହାର ମୂଲ୍ୟ ୨୧.୪୫ ଲକ୍ଷ ଟଙ୍କା। ଏହି ଦୀପ ଜବତକୁ ନେଇ ନିରାନିଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ କହିଛନ୍ତି। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ କୁମାର ମିଣାଙ୍କ ସୂଚନା ହେଲା ଶୁକ୍ରବାର ନିରାନିଙ୍କ ଚିନି ଫ୍ୟାକ୍ଟ୍ରିରୁ ୨୮କି‌ଲୋଗ୍ରାମ ଓଜନର ରୂପା ସାମଗ୍ରୀ ସମେତ ନଗଦ ୧.୮୨କୋଟି ଟଙ୍କା,୩୭.୬୪ଲକ୍ଷ ଟଙ୍କାର ଉପହାର, ୪୫.୨୫ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି।

ଏହାବ୍ୟତୀତ ରାଜ୍ୟରେ ମୋଟ ନଗଦ ୮୨.୦୫ କୋଟି ଟଙ୍କା, ୧୯.୬୯ କୋଟିର ମାଗଣା ବସ୍ତୁ, ୫୬.୬୭କୋଟି ଟଙ୍କାର ମଦ, ୧୬.୫୫କୋଟିର ନିଶାଦ୍ରବ୍ୟ, ୭୩.୮ କୋଟିର ୧୪୫.୫୫ କିଲୋଗ୍ରାମ ସୁନା ଓ ୪.୨୮କୋଟି ଟଙ୍କାର ୬୧୦ କିଲୋଗ୍ରାମର ରୂପା ଜବତ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button