ଇସ୍ତଫା ଦେଲେ ମନ୍ତ୍ରୀ ସମୀର ଓ ଶ୍ରୀକାନ୍ତ : ମନ୍ତ୍ରିମଣ୍ଡଳ ଅଦଳ ବଦଳ ସମ୍ଭାବନା

ଭୁବନେଶ୍ଵର : ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଏ ଦୁଇ ରାଷ୍ଟ୍ରମନ୍ତ୍ରୀ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିନି।
ଖବର ଅନୁଯାୟୀ ବାଚସ୍ପତି ଓ ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳର ସମ୍ଭାବନା ସୃଷ୍ଟି ହୋଇଛି। ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆଦିଲ୍ଲୀରୁ ଫେରିବା ପରେ ଶପଥ ଉତ୍ସବ ଅନୁଷ୍ଠିତ ହେବ। ରାଜନୈତିକ ମହଲରେ ଏହି ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଶନିବାର ଶୁଭ। ଏହି ପାଳିର ନୂଆ ମନ୍ତ୍ରିମଣ୍ଡଳ ହିଁ ଶନିବାରରେ ଗଠନ ହୋଇଥିଲା। ଆସନ୍ତାକାଲି ଶନିବାର। ତେଣୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମର ଯଥେଷ୍ଟ ସମ୍ଭାବନା ରହିଛି।
ସାଧାରଣରେ ହେଉଥିବା ଆଲୋଚନା ଅନୁଯାୟୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଉଭୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କୁ ନେଇ ବିବାଦ ଉଠିଥିଲା। ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାଶଙ୍କ ଉପରଙ୍କୁ ଆଙ୍ଗୁଳି ଉଠିଥିଲା। ଏହାଛଡା ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପରାଜୟ ସମୀରଙ୍କ ପାଇଁ ସୃଷ୍ଟି କରିଥିଲା ଅଡୁଆ ପରିସ୍ଥିତି।
ସେହିପରି ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡିର ଜଣେ ମହିଳା କର୍ମୀ ନିର୍ଯାତନା ନେଇ ଥାନାରେ ଏତଲା ଦେଇଥିଲେ। ସେଥିପାଇଁ ବିବାଦରେ ଛନ୍ଦି ହୋଇଥିଲେ ଶ୍ରୀକାନ୍ତ। ତେବେ ଉଭୟେ ଇସ୍ତଫା ଦେବାର ପ୍ରକୃତ ସ୍ପଷ୍ଟ ହୋଇନଥିଲେ ହେଁ ବିଭିନ୍ନ ମହଲରେ ଏହି ଚର୍ଚ୍ଚା ଚାଲିଥିବା ଶୁଣିବାକୁ ମିଳୁଛି। ଲୋକେ କହୁଛନ୍ତି ଆଉ କେତେଜଣଙ୍କୁ ଇସ୍ତଫା ଦେବାକୁ ପଡିପାରେ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ନୂଆ ମୁହଁକୁ ସାମିଲ କରିପାରନ୍ତି। କେତେଜଣ ପୁରୁଣାଙ୍କୁ ଦାୟିତ୍ଵ ଦେବା ମଧ୍ୟ ଅସମ୍ଭବ ନୁହେଁ।
ସୂଚନାଯୋଗ୍ୟ ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ହୋଇଥିଲା ବଡ ପରିବର୍ତ୍ତନ। ଦେଇଥିଲେ ସବୁମନ୍ତ୍ରୀ ଇସ୍ତଫା। ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା। ଅନେକ ନୂଆ ମୁହଁକୁ ମୁଖ୍ୟମନ୍ତ୍ରୀ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା ବେଳେ ବିକ୍ରମ କେଶରୀ ଆରୁଖ ହୋଇଥିଲେ ବାଚସ୍ପତି।