ମହିଳା ନିଖୋଜରେ ଓଡିଶାର ସ୍ଥାନ ଚତୁର୍ଥ : ଏନସିଆରବି ରିପୋର୍ଟ

ଭୁବନେଶ୍ଵର : ମହିଳା ନିଖୋଜରେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି। ସର୍ବଭାରତୀୟ ତୁଳନାରେ ରାଜ୍ୟରେ ମହିଳାଙ୍କ ଉଦ୍ଧାର ହାର ମଧ୍ୟ କମ୍‌। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟରେ ଏପରି ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଓଡ଼ିଶାରେ ୨୦୨୧ ମସିହା ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ଏ ମଧ୍ୟରୁ ୧୬ ହଜାର ୬୦୮ ଜଣ ଉଦ୍ଧାର ବା ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୧୭୫ ମହିଳା ଏବେ ବି ନିଖୋଜ ଅଛନ୍ତି। ସେହିପରି ସର୍ବଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬.୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ମାତ୍ର ୪୬. ୭ ପ୍ରତିଶତ। ଯାହାକି ରାଜ୍ୟରେ ନିଖୋଜ ମହିଳାଙ୍କୁ ଉଦ୍ଧାର କ୍ଷେତ୍ରରେ ପ୍ରଶ୍ନବାଚୀ ଲଗାଇଛି।

କେବଳ ସେତିକି ନୁହେଁ ୧୮ ବର୍ଷରୁ କମ୍ ବୟସର ଯୁବତୀ ଚାଲାଣ କ୍ଷେତ୍ରରେ ଓଡ଼ିଶା ବହୁଆଗରେ ରହିଛି। ଜାତୀୟ ସ୍ତରରେ ଏହି ବର୍ଗର ଝିଅଙ୍କ ଉଦ୍ଧାର ହାର ୬୫.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ୬୧.୬ ପ୍ରତିଶତ ରହିଛି। ମାନବ ଚାଲାଣ ବା ହ୍ୟୁମାନ ଟ୍ରାଫିକିଂରେ ମଧ୍ୟ ଓଡ଼ିଶାର ସ୍ଥିତି ଭଲ ନୁହେଁ। ମାନବଚାଲାଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର ୮୪.୭ ପ୍ରତିଶତ। କିନ୍ତୁ ଓଡ଼ିଶାରେ ଏହି ହାର ମାତ୍ର ୭୦.୪ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *

Back to top button