ମାନସିକ ପୂରଣ ପାଇଁ ବିଧାୟକ ଭାଙ୍ଗିଲେ ୧୫ ହଜାର ନଡ଼ିଆ

ବ୍ରହ୍ମପୁର : ବିଧାନସଭା ନିର୍ବାଚନ ଜିତିଲେ ନଡିଆ ଭାଙ୍ଗିବେ। ଏପରି ମାନସିକ କରିଥିଲେ ବର୍ତ୍ତମାନର ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ। ବିଳମ୍ବ ହେଲେ ମଧ୍ୟ ସେ ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ୍ର ଶ୍ରୀ ବରାହଲକ୍ଷ୍ମୀ ନାରାୟଣ ସ୍ଵାମୀଙ୍କ ଠାରେ ୧୫ହଜାର ନଡ଼ିଆ ଭାଙ୍ଗି ମାନସିକ ପୂରଣ କରିଛନ୍ତି। ଯାହା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଖବର ଅନୁଯାୟୀ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କ ଠାରୁ ପ୍ରାୟ ୧୪୦୦୦ରୁ ଅଧିକ ଭୋଟରେ ଜିତିଥିଲେ। କିନ୍ତୁ ପୂର୍ବରୁ ମାନସିକ କରିଥିଲେ ଯେତେ ହଜାର ଭୋଟରେ ନିର୍ବାଚନ ଜିତିବେ ସେହି ପରିମାଣର ନଡ଼ିଆ ସୀମାଞ୍ଚଳମ୍ ମନ୍ଦିରରେ ଭାଙ୍ଗିବେ। ହେଲେ କୋଭିଡ଼ କଟକଣା ଓ ବିଭିନ୍ନ କାରଣରୁ ମାନସିକ ପୂରଣ କରିପାରିନଥିଲେ। ଗତ ଗୁରୁବାର ସକାଳେ ଦଳୀୟ ସମର୍ଥକ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରମୁଖ ମନ୍ଦିରରେ ପହଞ୍ଚି ୧୫ ହଜାର ନଡ଼ିଆ ଭାଙ୍ଗିଥିବା ଜଣାପଡ଼ିଛି।


























