ହଟ୍ଟଗୋଳ ଭିତରେ ୪ଟି ବିଲ୍‌ ପାରିତ

ଭୁବନେଶ୍ୱର : ବିଧାନସଭାରେ ଆଜି ବିରୋଧୀ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଭିତରେ ୪ଟି ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ ଗୁଡିକ ହେଲା ଓଡ଼ିଶା ପଂଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍‌, ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍‌ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍‌।

ବୁଧବାର ଗୃହ ମୁଲତବି ହେବା ପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ପୁଣି ଥରେ ବାଚସ୍ପତିଙ୍କ ଚାମ୍ବରକୁ ଘେରିଥିଲେ। ଉଭୟ ବିଜେପି ଓ କଂଗ୍ରେସର ବିଧାୟକମାନେ ବାଚସ୍ପତିଙ୍କୁ ତାଙ୍କ ଚେୟାରକୁ ଆସିବାକୁ ଦେଇନଥିଲେ। ବିରୋଧୀଙ୍କ ଘେରାଉ ଯୋଗୁଁ ବାଚସ୍ପତି ଗୃହକୁ ଆସିନପାରିବାରୁ ଗୃହ ପରିଚାଳନା କରିଥିଲେ ବାଚସ୍ପତିଙ୍କ ବଦଳରେ ଉପବାଚସ୍ପତି। ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରେ ହୋହଲ୍ଲା କରିଥିଲେ ହେଁ ଗୃହରେ ରିପୋର୍ଟ ଉପସ୍ଥାପନ ଓ ବିଲ ପାରିତ ହୋଇଛି।

ଖଣି ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ ନକରିବାରୁ ଆଜି ସକାଳେ କଂଗ୍ରେସ ସଦସ୍ୟ ବିଧାନସଭାରେ ହଙ୍ଗାମା କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିବା ବେଳେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button