ହେଲିପ୍ୟାଡ୍ ନିର୍ମାଣସ୍ଥଳୀରେ ମଣିପୁର ପୋଲିସ ଅଧିକାରୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ମଣିପୁର ମୋରେହରେ ରାଜ୍ୟ-ବିଏସଏଫ୍ ହେଲିପ୍ୟାଡ୍‌ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଜଣେ ପୋଲିସ ଅଧିକାରୀଙ୍କୁ ସନ୍ଦିଗ୍ଧ ବିଦ୍ରୋହୀମାନେ ଗୁଳିକରି ହତ୍ୟା କରିଛନ୍ତି।

ଖବର ଅନୁଯାୟୀ ମଙ୍ଗଳବାର ସକାଳେ ହେଲିପ୍ୟାଡ୍‌ ପ୍ରକଳ୍ପ ସ୍ଥଳରେ ଏହି ଘଟଣା ଘଟିଛି। ଗୁଳିମାଡ଼ ପରେ ସଂପୃକ୍ତ ଉପଖଣ୍ଡ ପୋଲିସ ଅଧିକାରୀ ଚିଙ୍ଗଥାମ ଆନନ୍ଦଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ କ୍ଲିନିକକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଏହି ଆକ୍ରମଣ ସୁରକ୍ଷା ବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତିକୁ ଆହୁରି ତୀବ୍ର କରିଛି।

ମୋରେହର ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଗୁଳିମାଡ଼ରୁ ଜଣାପଡୁଛି ପୋଲିସ ଅଧିକାରୀଙ୍କୁ ବହୁ ଦୂରରେ ଥିବା ଗୁପ୍ତ ସ୍ଥାନରୁ ମାର୍କମ୍ୟାନ୍‌ କିମ୍ବା ସ୍ନାଇପର ରାଇଫଲରେ ଗୁଳି କରାଯାଇଛି। ଯେଉଁ ଦିଗରୁ ଗୁଳି ମାଡ଼ ହୋଇଥିଲା ସେଠାରେ ବେସାମରିକ ବସତି ଥିବାରୁ ପୋଲିସ ତୁରନ୍ତ ଏହାର ଜବାବ ଦେଇପାରି ନଥିଲା। ହେଲେ ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ଅପରେସନ୍‌ ଆରମ୍ଭ କରିଥିଲା ମଣିପୁର ସରକାର ପୋଲିସ ଅଧିକାରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ କ୍ଷତିପୂରଣ ଓ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button