ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ନୂଆଦିଲ୍ଲୀରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।

ଖବର ଅନୁଯାୟୀ ଭୁବନେଶ୍ୱର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିବ। ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ୫୦୫ କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୦୫ ଘଟିକାରେ ଯାତ୍ରା ଆରମ୍ଭକରି ସେହିଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ସେହିପରି ରାଉରକେଲାରୁ ଦିନ ୨ଟା୧୦ରେ ଛାଡି ସେହିଦିନ ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଓ ଝାରସୁଗୁଡା ଷ୍ଟେସନମାନଙ୍କରେ ରହିବ। ଏହି ଟ୍ରେନ୍ ପୁରୀ ଓ ରାଉରକେଲା ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବ। ଏହାଦ୍ୱାରା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଓ ପର୍ଯ୍ୟଟକ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *

Back to top button