ମୋଦି ଈଶ୍ଵରଙ୍କୁ ବୁଝାଇଦେବେ ବ୍ରହ୍ମାଣ୍ଡ କେମିତି ଚାଲୁଛି : ରାହୁଲ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦ୍ରୂପ କରିଛନ୍ତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ। ସେ କହିଛନ୍ତି ମୋର ମନେହୁଏ ଆପଣମାନେ ଯଦି ମୋଦୀଜୀଙ୍କୁ ଈଶ୍ଵରଙ୍କ ଆଗରେ ବସାଇ ଦିଅନ୍ତି ତେବେ ବିଶ୍ଵ ବ୍ରହ୍ମାଣ୍ଡ କେମତି ଚାଲିଛି ସେ ତାଙ୍କୁ ବୁଝାଇ ଦେବେ। ଯାହା ଶୁଣିବା ପରେ ନିଜେ କ’ଣ ସୃଷ୍ଟି କରିଛନ୍ତି ଭାବି ଈଶ୍ଵରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ।

ଆମେରିକାର କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ଉଦ୍‌ବୋଧନ ଦେବାବେଳେ ରାହୁଲ୍‌ କହିଛନ୍ତି ଦଳେ ଲୋକ ଅଛନ୍ତି ସେମାନେ ସବୁ ବୁଝିପାରନ୍ତି। ସେମାନେ ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକମାନଙ୍କୁ ଇତିହାସ ଓ ସେନାକୁ ଯୁଦ୍ଧକୌଶଳ ବତାଇ ଦେଇପାରିବେ। କିନ୍ତୁ ବାସ୍ତବ କଥା ହେଲା ସେମାନେ କିଛି ଜାଣନ୍ତି ନାହିଁ। ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଲେ ଏଜେନ୍‌ସିମାନଙ୍କୁ ଅପବ୍ୟବହାର କରାଯାଉଥିବା ଯୋଗୁଁ ରାଜନୈତିକ କାର୍ଯ୍ୟକଳାପ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଆମେ ‘ଭାରତ ‌ଯୋଡ଼ୋ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ। ହେଲେ ଏହାକୁ ବନ୍ଦ କରିବା ପାଇଁ ସରକାର ସାଧ୍ୟମତେ ଉଦ୍ୟମ କରିଥିଲେ ହେଁ ଯାତ୍ରାର ପ୍ରଭାବ ବଢ଼ି ବଢ଼ି ଚାଲିଲା।

ପ୍ରବାସୀ ଭାରତୀୟଙ୍କୁ ଉଦ୍ଦେଶ୍ୟରେ ସେ କହିଲେ ସବୁ ଧର୍ମ-ବିଶ୍ଵାସର ଜନତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ଶ୍ରଦ୍ଧାଭାଜନ ହେବା ମୂଲ୍ୟବୋଧକୁ କଂଗ୍ରେସ ବିଶ୍ଵାସ କରେ। ଆପଣମାନେ ଏଠାରେ ସେ ପ୍ରକାରର ଭାରତର ପ୍ରତିନିଧିତ୍ଵ କରୁଛନ୍ତି। ଏହି ମୂଲ୍ୟବୋଧ ସହିତ ଏକମତ ହୋଇ ନ ଥିଲେ ଆପଣମାନେ ଏଠାରେ ନ ଥାନ୍ତେ। ଆପଣମାନେ ଯଦି କ୍ରୋଧ, ବିଦ୍ଵେଷ ଓ ଅହଙ୍କାରରେ ବିଶ୍ଵାସ କରୁଥାଆନ୍ତେ ତେବେ ବିଜେପିର କୌଣସି ସଭାରେ ବସି ଥାଆନ୍ତେ। ଆଉ ମୁଁ ‘ମନ୍‌ କୀ ବାତ୍‌’ କହୁଥାଆନ୍ତି।

Leave a Reply

Your email address will not be published. Required fields are marked *

Back to top button