ମୋର ଅନୁରୋଧ ଆପଣମାନେ ଦୀପାଳିଙ୍କୁ ଆଶୀର୍ବାଦ କରନ୍ତୁ : ନବୀନ

ଝାରସୁଗୁଡ଼ା : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଆଉ ଜନତାଙ୍କୁ ସମ୍ଭୋଧନ କରି କହିଛନ୍ତି ମୋର ଅନୁରୋଧ ଆପଣମାନେ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ।

ଆସନ୍ତା ୧୦ ତାରିକାରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ହେବ ଭୋଟଗ୍ରହଣ। ଏବେ ଏହି ନିର୍ବାଚନମଣ୍ଡଳୀରେ ଚାଲିଛି ଜୋରଦାର ପ୍ରଚାର। ଏହ କ୍ରମରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ଝାରସୁଗୁଡ଼ା ଅମିଲିପାଳିଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହିତ ନବ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଉ କହିଥିଲେ ଆପଣମାନେ ବିକାଶରେ ବିଶ୍ଵାସ କରନ୍ତି। ବିଜୁ ଜନତା ଦଳ ମା’ମାନଙ୍କର ବିକାଶ ଓ ଚାଷୀ ଭାଇଙ୍କୁ ନେଇ ବିଶ୍ଵାସ କରେ। ଆପଣମାନେ ଚାହିଁଲେ ଝାରସୁଗୁଡ଼ା ଏକ ନମ୍ବର ଶିଳ୍ପ ସମୃଦ୍ଧ ସହର ହୋଇପାରିବ। ତେଣୁ ନିର୍ବାଚନ ସମୟରେ ଆମେ ସମସ୍ତେ ଶାନ୍ତି ରକ୍ଷା କରିବା ଜରୁରୀ।

ମୁଖ୍ୟମନ୍ତ୍ରୀ କହିଲେ ମା’ମାନଙ୍କୁ ଆମେ ସମ୍ମାନ ଦେବା ଉଚିତ। ସ୍ଵର୍ଗତ ନବ କିଶୋର ଦାସ ଥିଲେ ଜଣେ ଦକ୍ଷ ଓ ଲୋକପ୍ରିୟ ନେତା। ଆଜି ସେ ଆମ ଭିତରେ ନଥିଲେ ମଧ୍ୟ ତାଙ୍କର ବିକାଶମୂଳକ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କୁ ମନେ ରଖିବେ। ତାଙ୍କ ସୁଯୋଗ୍ୟ କନ୍ୟା ଝିଅ ଦିପାଳୀ ଦାସ ସେବା କରିବାକୁ ଆଗେଇ ଆସିଛନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ତାଙ୍କର ରୁଚି ରହିଛି। ମୋର ବିଶ୍ଵାସ ସେବାର ସୁଯୋଗ ମିଳିଲେ ସେ ତା’କୁ ସାକାର କରିପାରିବେ।

ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଲେ ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀଦଳ ଯେପରି ବ୍ୟବହାର କରିଥିଲା ଆପଣମାନେ ଜାଣିଛନ୍ତି। ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ମଧ୍ୟ ସେମାନେ ସେହିଭଳି ଗାଳି ଦେଉଛନ୍ତି। ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଦୀପାଳି ଦାସ ଏହି ଝାରସୁଗୁଡ଼ା ମାଟିର ଝିଅ। ତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ମୋର ବିଶ୍ଵାସ ଓ ଅନୁରୋଧ।

Leave a Reply

Your email address will not be published. Required fields are marked *

Back to top button