ସ୍ୱାମୀଙ୍କୁ ମୃତ ଦର୍ଶାଇ ସହାୟତା ରାଶି ହଡପ କରିବାକୁ ମହିଳାଙ୍କ ଉଦ୍ୟମ

କଟକ : ବାହାନଗା ରେଳ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସମ୍ପର୍କୀୟଙ୍କୁ ହରାଇଥିବା ପରିବାରରେ ଏବେ ଶୋକାକୁଳ ପରିବେଶ। ଏଥିପାଇଁ ସବୁ ମହଲରେ ସମବେଦନା ପ୍ରକାଶ ପାଇଛି। ଏସବୁ ଭିତରେ ଠକ ମହିଳାଙ୍କ କରନାମା ଚର୍ଚ୍ଚାକୁ ଆସିଛି। ମହିଳା ଜଣକ ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି ଦାବିକରି ସହାୟତା ରାଶି ହଡ଼ପ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସଫଳ ନହେବାରୁ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ନୋସି ବିଜିନେସ ପାର୍କ ପରିସରରେ ରବିବାର ଏହି ଘଟଣା ଘଟିଛି।
ଖବର ଅନୁଯାୟୀ ମହିଳା ଜଣଙ୍କ କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଅଂଚଳର ଗୀତାଂଜଳୀ ଦତ୍ତ ବୋଲି ଜଣାପଡ଼ିଛି। ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଲୁଟିବାକୁ ସେ ସ୍ୱାମୀ ବିଜୟ ଦତ୍ତଙ୍କୁ ମୃତ ଦର୍ଶାଇଥିଲେ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା କହି କୋହଭରା ସ୍ୱରରେ ବିଳାପ କରିଥିଲେ। ମୃତକଙ୍କ ଫଟୋ ମଧ୍ୟରୁ ଗୋଟିଏ ତାଙ୍କ ସ୍ୱାମୀଙ୍କର ବୋଲି ଦାବି କରିବ ସହିତ ମିଛ ଆଧାରକାଡ଼ ଜେରକ୍ସ କପି ଦେଖାଇଥିଲେ। କିନ୍ତୁ ପୋଲିସ ଅଧିକାରୀଙ୍କ ଆଗରେ ମହିଳାଙ୍କ ସବୁ ଚାଲ ଧରାପଡ଼ିଯାଇଥିଲା। ପୋଲିସ ଅଧିକାରୀ ଜଣକ ବଡ଼ମ୍ବା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ମହିଳାଙ୍କ ସ୍ୱାମୀ ଜୀବିତ ଥିବା ସୂଚନା ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ମଧ୍ୟ ଶେୟାର କରାଯିବା ପରେ ଠକ ମହଳାଙ୍କୁ ପୋଲିସ ଗିରଫ କରିବାକୁ ଯୋଜନା କରିଥିଲେ। ହେଲେ ସେତେବେଳକୁ ସେ ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି।