ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ : ଜରୁରୀ ବୈଠକ ଡାକିଲେ କେନ୍ଦ୍ରାଞ୍ଚଳ ଆରଡିସି

ଭୁବନେଶ୍ଵର : ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ। ଏହି ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଆରଡିସି ଜରୁରୀ ବୈଠକ ଡାକିଛନ୍ତି। ପ୍ରଶାସନିକ ଓ ବିଦ୍ୟୁତ ବିଭାଗ ଅଧିକାରୀ ଉପସ୍ଥିତ ଥିବାବେଳେ କାହିଁକି ବିଭ୍ରାଟ ଘଟିଲା ସେ ସମ୍ପର୍କରେ ପୁଙ୍ଗାନୁପୁଙ୍ଖ ଆଲୋଚନା ହେବ।

ଖବର ଅନୁଯାୟୀ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଦ୍ଵାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ। ଫଳରେ ପୂର୍ବାହ୍ନ ୧୧ଟା ୫୬ରୁ ୧୨ଟା ୫ ମିନିଟ ଲାଇନ୍ କଟିଯିବାରୁ ଅଡିଟୋରିୟମ ହୋଇଥିଲା ଅନ୍ଧାର। ଏହି ଅନ୍ଧାର ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ଜାରି ରଖିଥିଲେ। ତାଙ୍କ ମନରେ ବିରକ୍ତିଭାବ ପରିଲକ୍ଷିତ ହୋଇନଥିଲା। ଆଉ ସେ କହିଥିଲେ ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ। ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବି ଥକି’।

ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ରାଷ୍ଟ୍ରପତି ଅନ୍ଧାରରେ ଅଭିଭାଷଣ ରଖିବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜୁଳି ବିଭ୍ରାଟ ପାଇଁ କାହାକୁ ଦାୟୀ କରାଯିବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇଛି। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭିସି କହିଛନ୍ତି ସେ ଏଥିପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିଛନ୍ତି।

Leave a Reply

Your email address will not be published. Required fields are marked *

Back to top button