ଟ୍ରେନ୍‌ ଯାତ୍ରୀଙ୍କୁ ନିଶାଦେଇ ଲୁଟୁଥିବା ଗ୍ୟାଙ୍ଗ ଧରାପଡିଲେ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରେ ଟ୍ରେନ୍‌ ଯାତ୍ରୀଙ୍କୁ ନିଶା ଦେଇ ଲୁଟ। ଏପରି କରୁଥିଲେ ମହିଳା ଲୁଟେରା ଗ୍ୟାଙ୍ଗ ମୁସ୍କାନ ଓରଫ ସରିଫା ଖାତୁନ୍‌ ଓ ସହଯୋଗୀ। ଆଜି କମିଶନରେଟ୍‌ ପୋଲିସ୍‌ ମୁସ୍କାନ ଓ ୩ ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଅପରାଧୀକ ସାମ୍ରାଜ୍ୟ ବିସ୍ତାର କରିଥିଲେ ମୁସ୍କାନ ଗ୍ୟାଙ୍ଗ। ସକାଳ ନହେବା ପୂର୍ବରୁ ସଜେଇ ହୋଇ ମୁସ୍କାନ ଭୁବନେଶ୍ୱର ଷ୍ଟେସନ୍‌ରେ ଗ୍ୟାଙ୍ଗକୁ ଧରି ପହଞ୍ଚୁଥିଲେ। ଜଣେ ଯାତ୍ରୀଙ୍କ ପରି ନିଜ ଗ୍ୟାଙ୍ଗର ଅଟୋରେ ବସୁଥିଲେ। ଟ୍ରେନ୍‌ରେ ଲମ୍ୱା ଯାତ୍ରାକରି ଓହ୍ଲାଉଥିବା ଯାତ୍ରୀଙ୍କୁ କରୁଥିଲେ ଟାର୍ଗେଟ। ଯେଉଁ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଉଥିଲେ ମୁସ୍କାନଙ୍କ ଇଶାରାରେ ସେମାନଙ୍କୁ ଡାକୁଥିଲା ଅଟୋ ଚାଳକ। ଅଟୋର ପଛ ସିଟ୍‌ରେ ଜଣେ ସୁନ୍ଦର ମହିଳାଙ୍କୁ ଦେଖି ଯାତ୍ରୀ ଜଣକ ସେହି ଅଟୋକୁ ଯାଉଥିଲେ।

ଏହାପରେ ଆରମ୍ଭ ହେଉଥିଲା ଲୁଟ ଯୋଜନା। ଅଟୋ କିଛି ବାଟଗଲା ପରେ ନିଦ ଆସିବା ବାହାନାରେ ଚାଳକ ଗାଡି ଅଟକାଇ ଚା’ ପିଇବା ପାଇଁ ମୁସ୍କାନଙ୍କୁ ପ୍ରସ୍ତାବ ଦେଉଥିଲା। ମୁସ୍କାନ ହଁ ଭରିବାରୁ ଅଟୋବାଲା ଚା’ ଆଣୁଥିଲା। ଅଟୋରେ ବସିଥିବା ଯାତ୍ରୀଙ୍କୁ ନିଶା ବଟିକା ମିଶା ଚା’ ପିଇବାକୁ ଦେଉଥିଲା। ସେ ଓ ମୁସ୍କାନ ଭଲ ଚାହା ପିଉଥିଲେ। ନିଶା ମିଶା ଚା’ ପିଇ ଯାତ୍ରୀ ଜଣକ ସଂଜ୍ଞା ହରାଇବା ପରେ କୌଣସି ଏକ ନିଛାଟିଆ ସ୍ଥାନରେ ତାଙ୍କୁ ପକାଇ ଦେଇ ଲଗେଜ ଖୋଲି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଉଥିଲେ।

ଏପରି ଘଟଣା ଘଟୁଥିବା ଅଭିଯୋଗ ପାଇ କମିଶନରେଟ୍‌ ପୋଲିସ୍‌ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଜଣାପଡ଼ିଥିଲା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁସ୍କାନ। ତେଣୁ ପ୍ରଥମେ ଓ ପରେ ଗ୍ୟାଙ୍ଗର ସଦସ୍ୟ ନୟାଗଡ଼ର ସୁଶାନ୍ତ ରାଉତ, ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମର ଲଣ୍ଡା ଓରଫ ଅଶୋକ ବେହେରାକୁ ଗିରଫ କରିଛି। ଏ ୩ ଜଣଙ୍କ ନାଁରେ ବହୁ ଲୁଟ୍‌, ଡକାୟତି ଓ ଛିନ୍‌ତାଇ ମାମଲା ରହିଥିବା ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Back to top button