ଫଟୋ ଦେଖି ଅଭିଯୁକ୍ତଙ୍କୁ ଚିହ୍ନିଲେ ଗଣଦୁଷ୍କର୍ମ ପୀଡ଼ିତା

ଭୋପାଲ : ମଧ୍ୟପ୍ରଦେଶର ଶାହଡୋଲରେ ଜଣେ ମୁକ ଓ ବଧିର ନାବାଳିକା ୬ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ସେମାନେ ପୀଡିତାର ଫଟୋକୁ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।

ଖବର ଅନୁଯାୟୀ ଶନିବାର ମୁକ ଓ ବଧିର ନାବାଳିକାଙ୍କୁ ପଡ଼ୋଶୀ ଯୁବକ ପ୍ରଲୋଭିତ କରି ଘରୁ ଡାକି ଆଣିଥିଲେ। ଏହାପରେ ସେ ଗୋଟିଏ ନିଛାଟିଆ ବୁଦା ନିକଟକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ୫ ଅଭିଯୁକ୍ତ। ସମସ୍ତେ ମିଶି କରିଥିଲେ ଗଣଦୁଷ୍କର୍ମ। ଏ ମଧ୍ୟରେ ଥିଲେ ୪ ନାବଳକ ଓ ୨ ଜଣ ଯୁବକ। ପୀଡିତା ବିରୋଧ କରିବାରୁ ଅଭିଯୁକ୍ତମାନେ ମାଡ଼ ମାରିବା ସହିତ ଦୁଷ୍କର୍ମ ବେଳର କିଛି ଫଟୋ ଉଠାଇଥିଲେ। ଗଣଦୁଷ୍କର୍ମର ଶିକାର ହୋଇଥିଲେ ହେଁ ନାବାଳିକା ଘର ଲୋକଙ୍କୁ କିଛି ଜଣାଇନଥିଲେ।

ଅଭିଯୁକ୍ତମାନେ ଫଟୋ ଭାଇରାଲ କରିଥିବାରୁ ପୀଡିତାଙ୍କ ବାପାଙ୍କ ନଜରକୁ ଆସିଥିଲା। ଜଣେ ଯୁବକ ଫଟୋଦେଖି ତାଙ୍କୁ ଜଣାଇଥିଲେ। ପରିବାର ଲୋକ ଘଟଣା ବିଷୟରେ ପଚାରିବାରୁ ନାବାଳିକା କେବଳ କାନ୍ଦିବାକୁ ଲାଗିଥିଲେ। ପରେ ପୂରା ଘଟଣା ସମସ୍ତଙ୍କୁ ଅବଗତ କରାଇଥିଲେ। ସ୍ଥାନୀୟ ଏସପି କହିଛନ୍ତି ପୀଡ଼ିତାର ମା’ଙ୍କ ଅଭିଯୋଗକ୍ରମେ ଗୁରୁବାର ମାମଲା ରୁଜୁ ହୋଇଛି। ସାମାଜିକ ନ୍ୟାୟ ବିଭାଗର ବିଶେଷଜ୍ଞ ଟିମ୍ ବୟାନ ରେକର୍ଡ କରିବାକୁ ପ୍ରୟାସ କରୁଛନ୍ତି। ପୀଡ଼ିତା କଥା କହି ପାରୁନଥିବା ଯୋଗୁ ବିଭିନ୍ନ ସାଙ୍କେତିକ ଭାଷାରେ ସେ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ତାଙ୍କୁ ପୋଲିସ କିଛି ଫଟୋ ଦେଖାଇବା ପରେ ଅଭିଯୁକ୍ତମାନଙ୍କୁ ସେ ଚିହ୍ନଟ କରିଥିବାରୁ କୋଟୱାଲି ଥାନାରେ ରୁଜୁ ମାମଲା ଅନୁଯାୟୀ ୬ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published.

Back to top button