ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ଵର : ଆଜି ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି। ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ରହିଛି ଅଧିକ। ବିଜ୍ଞାନରେ ୮୫.୬୭ ପ୍ରତିଶତ ଛାତ୍ରୀ ପାସ କରିଥିବା ବେଳେ ୮୪.୨୮ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ବାଣିଜ୍ୟରେ ମୋଟ୍ ପରୀକ୍ଷାର୍ଥୀ ୨୪,୦୮୨ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି।
ସୂଚନାଯୋଗ୍ୟ ଚଳିତବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ ଯାଏ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ। ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରିକ୍ଷଫଳ ଘୋଷଣା ପରେ ଛାତ୍ରଛାତ୍ରୀମାନେ www. orissaresults.nic.in ୱେବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।