୬ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଭାରତରେ ଆତଙ୍କୀ ହମଲା ପାଇଁ ପାକ ସମର୍ଥିକ ଆତଙ୍କୀ କରିଥିବା ଯୋଜନା ପଣ୍ଡ। ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ୬ ଜଣ ଆତଙ୍କୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପାକ୍ ତାଲିମପ୍ରାପ୍ତ ୨ ଜଣ ଆତଙ୍କବାଦୀ।
ଖବର ଅନୁଯାୟୀ ଏହି ଆତଙ୍କବାଦୀମାନେ ନବରାତ୍ରୀ ଓ ରାମଲୀଲା ସମୟରେ ଭାରତରେ ସିରିଜ୍ ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। କିନ୍ତୁ ସେମାନଙ୍କ ଯୋଜନା ପଣ୍ଡା ହୋଇଥିଲେ ହେଁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀମାନଙ୍କୁ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସ୍ପେଶାଲ ସେଲର ଡେପୁଟି କମିଶନର ପ୍ରମୋଦ ସିଂହ କୁଶୱା କହିଛନ୍ତି ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏକାଧିକ ରାଜ୍ୟରେ ହୋଇଥିବା ଅପରେସନ ବେଳେ ଅନେକ ପ୍ରକାରର ଆପତ୍ତିଜନକ ଜିନିଷ ମିଳିଥିବା ବେଳେ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଆରଡିଏକ୍ସ ଖଚିତ ଆଇଇଡି ଠାବ ହୋଇଛି। ଏମାନେ ସମସ୍ତେ ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ବଡ଼ ଧରଣର ହମଲା କରିବାକୁ ପ୍ରସ୍ତୁତ ହେଉଥିଲେ। ନବରାତ୍ରୀ ଓ ରାମଲୀଲା ଏମାନଙ୍କ ଟାର୍ଗେଟରେ ରହିଥିଲା।
ଗିରଫ ଆତଙ୍କୀମାନେ ହେଲେ ମହାରାଷ୍ଟ୍ରର ଜନ ମହମ୍ମଦ ଶେଖ, ଦିଲ୍ଲୀର ଓସାମା ସାମି, ୟୁପିର ରାଏବରେଲୀର ଲାଲା, ୟୁପିର ପ୍ରୟାଗରାଜର ଜୀଶାନ, ଲକ୍ଷ୍ନୌର ମହମ୍ମଦ ଅମୀର ଜାଭେଦ। ଓସାମା ଓ ଜୀଶାନ ପାକିସ୍ତାନରେ ଆତଙ୍କୀ ହମଲା ପାଇଁ ତାଲିମ ନେଇ ଏଠାକୁ ଆସିଥିବା ଦିଲ୍ଲୀ ପୋଲିସ୍ କହିଛି।