ସିଦ୍ଧୁଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ : ରାୱତ
ଅମୃତସର : ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ କିଛି ଦିନ ତଳେ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ତାଙ୍କ ଇସ୍ତଫାକୁ ଦଳୀୟ ହାଇକମାଣ୍ତ ଗ୍ରହଣ କରି ନାହାନ୍ତି। ସେ ଏବେ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଓ ଆଗକୁ ମଧ୍ୟ ଏହି ପଦରେ ରହିବେ। ଏହା କହିଛନ୍ତି କଂଗ୍ରେସର ପଞ୍ଜାବ ଇନଚାର୍ଜ ହରିଶ ରାୱତ।
ହରିଶ ରାୱତ କହିଛନ୍ତି ସିଦ୍ଧୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟ ବିବାଦର ସାମାଧାନ ପାଇଁ ସେ ଚେଷ୍ଟା କରିଥିଲେ। ଏହାଛଡା ଦଳ ମଧ୍ୟରେ ଥିବା ବିଭିନ୍ନ ପ୍ରସଙ୍ଗ ଆଲୋଚନା ଦ୍ୱାରା ସମାଧାନ ହେବ। ସିଦ୍ଧୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ସବୁ ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ଖୁବଶୀଘ୍ର ସମାଧାନ ବାହାରିବ। ଏବେ ଏହା ସ୍ପଷ୍ଟ ହୋଇଛି ଯେ ସିଦ୍ଧୁ ପଞ୍ଜାବ ପିସିସି ଭାବେ ରହିବେ ଓ ଦଳକୁ ସଶକ୍ତ କରିବା ପାଇଁ କାମ କରିବେ।
ଗୁରୁବାର କଂଗ୍ରେସ ମୁଖ୍ୟାଳୟରେ ସିଦ୍ଧୁ, ଏଆଇସିସିର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଓ ହରିଶ ରାୱତଙ୍କ ସହ ବୈଠକ କରିଥିଲେ। ଏଥିରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଥିଲା। ବୈଠକରେ ସିଦ୍ଧୁ ୧୮ଟି ପ୍ରସଙ୍ଗ ଉଠାଇଥିଲେ। ଡ୍ରଗ୍ସ ମାଫିଆ ଓ ନିଶାଦ୍ରବ୍ୟ ଚୋରା ଚାଲାଣରେ ସଂପୃକ୍ତ ଥିବା ଦଳୀୟ ନେତାଙ୍କ ବିଷୟରେ ମଧ୍ୟ ସିଦ୍ଧୁ ଅବଗତ କରାଇଥିଲେ। ସିଦ୍ଧୁଙ୍କୁ କଂଗ୍ରେସର ବରିଷ୍ଠ ନେତାମାନେ ସବୁ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସେହିପରି ବୈଠକ ପରେ ସିଦ୍ଧୁ କହିଛନ୍ତି ମୁଁ ପଞ୍ଜାବ ଓ ପଞ୍ଜାବ କଂଗ୍ରେସ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ହାଇକମାଣ୍ଡଙ୍କ ଆଗରେ ଉପସ୍ଥାପନ କରିଛି। ମୋର ବିଶ୍ୱାସ ପଞ୍ଜାବ ଓ କଂଗ୍ରେସର ଭଲ ପାଇଁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଉଚିତ ପଦକ୍ଷେପ ନେବେ। ସେମାନେ ଯାହା ନିଷ୍ପତ୍ତି ନେବେ ତା’କୁ ମୁଁ ଗ୍ରହଣ କରିବି। ମୁଁ ସେମାନଙ୍କୁ ସବୁବେଳେ ସୁପ୍ରିମ ଲିଡର ଭାବେ ବିବେଚନା କରି ଆସିଛି। ତାଙ୍କ ନିର୍ଦ୍ଦେଶରେ ସବୁ କାମ କରିବି।