ଦରଦାମ ବୃଦ୍ଧି ବିରୋଧରେ ବିଜେଡି କରିବ ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର : ମମିତା ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି। ଏଥିପାଇଁ ଚାଲିଛି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ। ଏହାର ମୁକାବିଲା ପାଇଁ ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛି ବିଜେଡି। ଆସନ୍ତାକାଲିଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ରାଜରାସ୍ତାରେ ପ୍ରତିବାଦ କରିବାକୁ ଦଳ ନିଷ୍ପତ୍ତି ନେଇଛି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ ଓ ପ୍ରମିଳା ମଲ୍ଲିକ କହିଛନ୍ତି ପେଟ୍ରୋଲ, ଡିଜେଲ, ଏଲପିଜି ସମେତ ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ।

ସେମାନେ କହିଲେ ୨୦୧୯ ମସିହାରେ ବିଜେପି କେନ୍ଦ୍ରରେ ଦ୍ୱିତୀୟଥର କ୍ଷମତାସୀନ ହେବାବେଳେ ପେଟ୍ରୋଲ ଲିଟର ୭୧ଟଙ୍କା ଓ ଡିଜେଲ ୬୫ଟଙ୍କା ରହିଥିଲା। ଏବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ଟଙ୍କା ୩୨ ପଇସା ଓ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୯୨୬ଟଙ୍କା ରହିଛି। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି।

ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ୪୦ରୁ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। କରୋନା ଓ ଲକଡାଉନ୍ ପରିସ୍ଥିତି ଯୋଗୁ ଅଧିକାଂଶ ନିଜ ଉପାର୍ଜନରେ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛନ୍ତି। ବେରୋଜଗାର ମଧ୍ୟ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ସ୍ଥିତିରେ ସୁଧାର ଆଣିବା ଲାଗି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି। ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ଧାରଣା ଦେବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବା ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ୧ ତାରିଖରୁ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବ। ଏହାଛଡା ୫ରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ହେବ ବୋଲି ଦଳର ନେତାମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button