ମାହାଙ୍ଗା ହତ୍ୟାକାଣ୍ଡ : ନୂଆ ଚାର୍ଜସିଟ୍ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ଘଟଣାରେ ନଭେମ୍ବର ୨୯ ସୁଦ୍ଧା ନୂଆ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ ପୋଲିସ ଅଧିକାରୀଙ୍କୁ ସାଲେପୁର ଜେଏମଏଫେସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ନଭେମ୍ବର ୨୫ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ ପାଇଁ ନର୍ଦ୍ଦେଶ ଥିଲା। କିନ୍ତୁ ମାହାଙ୍ଗା ପୋଲିସ ସମୟ ମାଗିବାରୁ ମାମଲାର ଶୁଣାଣି କରି କୋର୍ଟ ରିପୋର୍ଟ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରି ପୁନଃ ଚାର୍ଜସିଟ୍ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ମନ୍ତ୍ରୀଙ୍କ ପିଏ ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ସିଡିଆର ରିପୋର୍ଟ କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ପୋଲିସକୁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ।

ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୋଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

ଅଗଷ୍ଟ ୨୫ରେ ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତିନିମାସ ବିତି ଯାଇଥିଲେ ହେଁ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ କୋର୍ଟ ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିବା ସହ କ୍ଷୁବ୍ଧ ହୋଇଥିଲେ। ନଭେମ୍ବର ୨୦ରେ ଏହାର ଶୁଣାଣି କରି ତୁରନ୍ତ ଚାର୍ଜସିଟ୍ ଓ ସିଡିଆର୍ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button