କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ ହେଲେ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀଦଳ ନେତାଙ୍କୁ ନେଇ ଗଠିତ କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।
ଖବର ଅନୁଯାୟୀ କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ବସିଥିବା ବୈଠକରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ତାଲିକା ଭୁକ୍ତ କରାଯାଇଥିଲା। ଏଥିରେ ପ୍ରବୀଣ ସୁଦଙ୍କ ବ୍ୟତୀତ ସୁଧୀର ସକ୍ସେନା (ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନଙ୍କ ନାଁ ରହିଥିଲା। ତେବେ ପ୍ରବୀଣଙ୍କ ନାମ ସିବିଆଇ ନିର୍ଦ୍ଦେଶକ ପାଇଁ ଚୁଡାନ୍ତ ହୋଇଛି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇବର୍ଷ ଯାଏ ଏହି ପଦରେ ରହିବେ।
ବର୍ତ୍ତମାନ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈସୱାଲଙ୍କ କାର୍ଯ୍ୟକାଳ ମେ’ ୨୫ରେ ଶେଷ ହେବ। ଏହାପରେ ୧୯୮୬ ବ୍ୟାଚ୍ର ଆପିଏସ୍ ପ୍ରବୀଣ ସୁଦ ନୂଆ ସିବିଆଇ ମୁଖ୍ୟଭାବେ କାର୍ଯ୍ୟ ଆରମ୍ଭ କରିବେ। ସାଧାରଣତଃ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଦୁଇବର୍ଷ। ଏହାକୁ ଅତି ବେଶୀରେ ୫ବର୍ଷ ଯାଏ ବୃଦ୍ଧି କରାଯାଇ ପାରିବ।