ପଞ୍ଜାବର ପଶ୍ଚିମ ସୀମାରେ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ : ପଞ୍ଜାବରେ ସେନାର ଅମ୍ବାଲାସ୍ଥିତ ଖାରଗା କର୍ପସର ବିଭିନ୍ନ ୟୁନିଟ୍ ଓ ଭାରତୀୟ ବାୟୁସେନା (ଆଇଏଏଫ୍) ପକ୍ଷରୁ ମିଳିତ ସମରାଭ୍ୟାସ ହୋଇଛି। ପଞ୍ଜାବର ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ୧୫ଦିନ ବ୍ୟାପି ସମରାଭ୍ୟାସ କରାଯାଇଥିବା ଭାରତୀୟ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ସମରାଭ୍ୟାସ କାଳରେ ଗ୍ରାଉଣ୍ଡ ଫୋର୍ସ ସହାୟତାରେ ଆଟାକ୍ ହେଲିକପ୍ଟଟର ମୁତୟନ, ଶତ୍ରୁପକ୍ଷର ପ୍ରତିବନ୍ଧକ ପ୍ରଣାଳୀରେ ଅପରେସନ, ହାଇ-ଟେକ୍ ଡ୍ରୋନ୍କୁ ବ୍ୟବହାର, ଶତ୍ରୁପକ୍ଷର ପ୍ରତିବନ୍ଧକ ଘେରରେ ଲଢ଼େଇ କରିବା, ସେନାଦ୍ୱାରା ଶତ୍ରୁ ଅଞ୍ଚଳରେ ନିରନ୍ତର ଅପରେସନ୍ ଜାରି ରଖିବା ଆଦି କରାଯୋଇଥିଲା। ଏଥିସହ ହେଲିବୋର୍ଣ୍ଣ ଅପରେସନ୍ ଭଳି ଅତ୍ୟାଧୁନିକ ଅପରେସନ୍ ସଂପର୍କରେ ୟୁନିଟ୍ଗୁଡ଼ିକୁ ପ୍ରଶିକ୍ଷଣ ଦିଆଯାଇଥିଲା।
ମେ’ ୧୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନା (ଆଇଏଏଫ୍) ସହ ପଶ୍ଚିମ ସୀମାରେ ଥିବା ଶତ୍ରୁ ଅଞ୍ଚଳରେ ଅପରେସନ୍ ପାଇଁ ମିଳିତ ପ୍ରଶିକ୍ଷଣ କରାଯାଇଥିଲା।ଶତ୍ରୁ ପକ୍ଷର ସୀମାରେଖା ପଛକୁ ମୁତୟନ ରହୁଥିବା ସ୍ୱତନ୍ତ୍ର ବାହିନୀ ଓ ବାୟୁସେନା ଦ୍ୱାରା ଯୁଦ୍ଧ କ୍ଷେତ୍ରରେ ଏୟାର ଷ୍ଟ୍ରାଇକ୍ ଆଦି ଏଥିରେ ଅନ୍ତର୍ଭୁକ୍ତ ରହିଥିଲା।

























