ଉତ୍ତର ଓଡ଼ିଶାରେ ବଜ୍ରପାତ ନେଲା ୭ ଜୀବନ

ଭୁବନେଶ୍ଵର : ଉତ୍ତର ଓଡ଼ିଶାର କେତୋଟି ଜିଲ୍ଲାରେ ଆଜି ଅପରାହ୍ନରେ ବଜ୍ରପାତ ଘଟିଛି। ଏଥିରେ ଦୁଇଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଖବର ଅନ୍ୟଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତିନୋଟି ସ୍ଥାନରେ ବଜ୍ରାଘାତ ଘଟିଛି। ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଉତୁକୁଡ଼ା ପଂଚାୟତ ସିଙ୍ଗିଟି ଗ୍ରାମର ଜଣେ ଓ ଖେରଙ୍ଗ ପଂଚାୟତର ଅନ୍ୟ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ସେହିପରି ଉତୁକୁଡ଼ା ପଂଚାୟତର ସିଙ୍ଗିଟି ଗ୍ରାମକୁ କୃଷିକାର୍ଯ୍ୟ ପାଇଁ ମୟୁରଭଞ୍ଜ ଜିଲ୍ଲାରୁ ମା’ ଓ ଝିଅ ଆସିଥିଲେ। ବଜ୍ରାଘାତରେ ମା’ ଘୁମୁନା ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ସିମା ଗୁରୁତର ହୋଇଛନ୍ତି। ଖେରଙ୍ଗ ପଂଚାୟତର ପ୍ରତାପ ମାଝୀଙ୍କର ମୃତ୍ୟୁ ଘଟିଥିବା ବେଳେ ମୈସୁଧା ପଂଚାୟତ ଫାର୍ସିବନ୍ଦ ଗାଁର ଧନେଶ୍ଵର ବାରିକ ଓ ସୁମନ୍ତ ସାହୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ସେହିପରି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଟିକିରାପଡ଼ା ଗ୍ରାମରେ ବଜ୍ରାଘାତରେ ୩ ମୃତ ଓ ୬ରୁ ଅଧିକ ଗୁରୁତର ହୋଇଛନ୍ତି। କିନ୍ତୁ ସଂଖ୍ୟା ବଢ଼ିବାର ଆଶଙ୍କା ରଇଛି। ଆଶା କରାଯାଉଛି। ଆଜି ଅପରାହ୍ନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆରମ୍ଭ ହେବେରୁ ଚାଷଜମିରେ କାମକରୁଥିବା ଶ୍ରମିକମାନେ ବିଲରୁ ଉଠିଆସି ଏକ ଗଛମୂଳରେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରାଘାତ ଯୋଗୁ ତିନିଜଣଙ୍କର ଘାଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ବଜ୍ରପାତରେ ମହାଦେବ ସରାଇ ଗ୍ରାମର କାନୁ ମୁର୍ମୁ, ପଣିସାପଡ଼ା ଗ୍ରାମର ମକରା ନନ୍ଦ ବେହେରା, ବେଲଗାଁର ଶମ୍ଭୁନାଥ ସାହୁ ଓ ସୁଲେମାନପୁର ଗ୍ରାମର ଗୋପାଳ ବିନ୍ଧାଣିଙ୍କ ମୃତ୍ୟୁ ହୋଇଛି। ଦସରାପଦା, ମହାଦେବ ସରାଇ, ମାଛିଆ ଓ ଟିକରାପଡା ଗ୍ରାମର ୫ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକର ପୁରୁଣିଆ ପଞ୍ଚାୟତ ହରିପୁର ଗ୍ରାମରେ ବଜ୍ରାଘାତରେ ଜଣେମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ମହିଳା ଗୁରୁତର ଅଛନ୍ତି। ମୃତା ମହିଳା ଜଣକ କୁଆମରାସ୍ଥିତ ବଡକ୍ଷୀରପଦା ଗ୍ରାମର ସ୍ଵର୍ଗତ ବାବୁଲା ସିଂଙ୍କ ପତ୍ନୀ ଟୁନି ସିଂ ଓ ଗୁରୁତର ଜଣକ ହରିପୁର ଗ୍ରାମର ବାସନ୍ତୀ ସିଂ ବୋଲି ଜଣାପଡିଛି।




























