କର୍ଣ୍ଣାଟକରେ କଂଗ୍ରେସର ବୃହତ ବିଜୟ

ନୂଆଦିଲ୍ଲୀ : କର୍ଣ୍ଣାଟକାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯୋଜନା କରିଥିବା ବିଜେପି ଫେଲ ମାରିଛି। ଦକ୍ଷିଣ ଭାରତରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି। କଂଗ୍ରେସ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ୨୦୧୮ରେ ଦଳ ମାତ୍ର ୮୦ଟି ଆସନ ଜିତିଥିଲା। ଏଥର ଦଳ ୧୩୩ଟି ଆସନ ଜିତି ସାରିଥିବା ବେଳେ ଆଉ ୩ଟି ଆସନରେ ଲିଡ୍‌ କରୁଛି। ସେହିପରି ବିଜେପି ୨୦୧୮ରେ ୧୦୪ଟି ଆସନ ପାଇଥିବା ବେଳେ ଏଥର ୬୪ ଜିଟିଛି। ଗୋଟିଏ ଆସନରେ ଆଗୁଆ ରହିଛି। ଜେଡିଏସ୍‌ ୧୯ଟି ଆସନ ଜିତିଛି। ଅନ୍ୟାନ୍ୟ ୪ଟି ଆସନରେ ଜିତିଛନ୍ତି।

ଖବର ଅନୁଯାୟୀ ୧୯୮୫ ପରେ ରାଜ୍ୟରେ ୮ଟି ବିଧାନସଭା ନିର୍ବାଚନ ହୋଇଛି। ହେଲେ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରିନାହାନ୍ତି। ୨୦୧୮ରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ସରକାର ଗଠନ କରିଥିଲେ। କିନ୍ତୁ କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମାତ୍ର ଗୋଟିଏ ବର୍ଷ ସରକାର ଚାଲି ପାରିଥିଲା। ଏହାପରେ ବିଏସ୍‌ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ଗଠନ ହେଲା ବିଜେପି ସରକାର। ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ୟେଦ୍ୟୁରପ୍ପାଙ୍କୁ ହଟାଇ ବସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା ବିଜେପି। ଆଉ କ୍ରମାଗତ ଦ୍ୱିତୀୟଥର ପାଇଁ କର୍ଣ୍ଣାଟକାରେ କ୍ଷମତା ଦଖଲ କରିବାକୁ ବିଜେପି ଲକ୍ଷ୍ୟ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରର ମଙ୍ଗ ଧରିଥିଲେ। ହେଲେ ବିଜେପି ଅସଫଳ ହୋଇଛି। କଂଗ୍ରେସ କରିଛି ବାଜିମାତ। କର୍ଣ୍ଣାଟକାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରୁ କଂଗ୍ରେସକୁ ମିଳିଛି ଫାଇଦା।

Leave a Reply

Your email address will not be published. Required fields are marked *

Back to top button