ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫୧୧୨ ଟଙ୍କା
ଭୁବନେଶ୍ୱର : ଓଡ଼ିଶାର ଚାଷୀଙ୍କ ମାସିକ ଆୟ ୫ ହଜାର ୧୧୨ ଟଙ୍କା। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ରିଲିଜ୍ ରିପୋର୍ଟରେ ଏହି ତଥ୍ୟ ରହିଛି।
ଚାଷୀମାନଙ୍କ ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଦେଶରେ ସବୁଠାରୁ କମ୍ ହାରାହାରି ମାସିକ ଆୟ ତାଲିକାରେ ଝାଡଖଣ୍ଡ ପ୍ରଥମ ସ୍ଥାନରେ ରହିଛି। ଓଡିଶାର ସ୍ଥାନ ରହିଛି ଦ୍ୱିତୀୟ। ରିପୋର୍ଟରେ ଆହୁରି କୁହାଯାଇଛି ଓଡିଶାର ୬୧.୨ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଋଣ ଗ୍ରସ୍ତ ଚାଷୀ ପରିବାର ହାରାହାରି ୩୨ ହଜାର ୭୨୧ ଟଙ୍କା ଋଣ କରିଛନ୍ତି। କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଓ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ଦର୍ଶାଯାଇଛି।