ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ବିଜେପି ଅଦାଲତକୁ ଯିବ : ଅତନୁ କହିଲେ ଲୋକଙ୍କ ପାଖକୁ ଯାଇ ପାରିନାହାନ୍ତି ଅଦାଲତକୁ ଯିବେ
ଭୁବନେଶ୍ଵର : ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଚିହ୍ନକୁ ନେଇ ବିଜେପି ଆପତ୍ତି ଉଠାଇଛି। ବିଜେଡିର ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇଁ ଏହା ଏକ ପ୍ଲାନ୍ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଆଉ କହିଛନ୍ତି ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ।
ଖବର ଅନୁଯାୟୀ ମୋହନ ମାଝୀ କହିଛନ୍ତି ଆଜିଠାରୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଯେପରି ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରିବାକୁ ଯାଉଛନ୍ତି ଆଗାମୀ ଦିନରେ ଭୋଟ ବ୍ୟାଙ୍କ ପାଇଁ କରୁଥିବା ସ୍ପଷ୍ଟ ହେଉଛି। ୨୩ ବର୍ଷର ଶାସନ ସତ୍ତ୍ୱେ ହାରିବା ଭୟ ରହୁଥିବାରୁ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ସ୍ଥାନିତ କରିଛନ୍ତି। ଦଳୀୟ ଚିହ୍ନ ଆଧାରରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଉଛି। ଏହାକୁ ବିରୋଧ କରାଯିବ ସହିତ କୋର୍ଟରେ ଚ୍ୟାଲେଞ୍ଜ କରାଯିବ।
ଅପରପକ୍ଷରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଶଙ୍ଖ ପବିତ୍ରତାର ପ୍ରତୀକ। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲୋକଙ୍କ ପାଖରୁ ଅନୁରୋଧ ଆସିବା ପରେ ଆର୍ଥିକ ବ୍ୟବସ୍ଥା କରାଯାଉଛି। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସରିବ। ବିଜେପି ଆପତ୍ତି କରିବାରେ କିଛି ସମସ୍ୟା ନାହିଁ। ଶଙ୍ଖ ପବିତ୍ରତାର ପ୍ରତୀକ। କେନ୍ଦ୍ରର ଜନଔଷଧି ନାମ କାହିଁକି ରଖା ଯାଇଛି ? କେନ୍ଦ୍ରର ଜନଔଷଧି କାର୍ଯ୍ୟକ୍ରମକୁ ବିଜେପି ନାଁରେ ନାମିତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଶଙ୍ଖ ଚିହ୍ନକୁ ନେଇ କୌଣସି ବ୍ରାଣ୍ଡିଙ୍ଗ କରାଯାଉନି। ବିଜେଡି ଲୋକଙ୍କ ପାଖକୁ ଯାଉଛି। ସେମାନେ ଲୋକଙ୍କ ପାଖକୁ ଯାଇ ପାରିନାହାନ୍ତି ଅଦାଲତକୁ ଯିବେ ବୋଲି କହି କଟାକ୍ଷ କରିଛନ୍ତି।