ଶରିଆ ଆଇନ୍ରେ ଚାଲିବ ଆଫଗାନିସ୍ତାନ

କାବୁଲ : ମଙ୍ଗଳବାର ରାତିରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହୋଇଛି। ଲାଗୁ ହୋଇଛି ଶରିଆ ଆଇନ୍। ଏହି ଆଇନରେ ଦେଶ ଚାଲିବ ବୋଲି ତାଲିବାନ ଘୋଷଣା କରିଛି।
ତାଲିବାନ କହିଛି କେହି ଭବିଷ୍ୟତ ନେଇ ଚିନ୍ତା କରନ୍ତୁ ନାହିଁ। ଆଇନ ଅନୁଯାୟୀ ଦେଶର ସମସ୍ୟା ସମାଧାନ କରାଯିବ। ଗତ ଦୁଇ ଦଶକ ଧରି ଆମେ ସଂଘର୍ଷ କରିଛୁ। ବିଦେଶୀ ସୈନ୍ୟଙ୍କୁ ଦେଶରୁ ବାହାର କରିବା ଓ ପରେ ନିଜ ଇସ୍ଲାମିକ ବ୍ୟବସ୍ଥା ଲାଗୁ କରିବା ଏହାର ଉଦ୍ଦେଶ୍ୟ ଥିଲା। ଇସଲାମିକ ଦେଶର କାହାରି ସହିତ କୌଣସି ଅସୁବିଧା ନାହିଁ। ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ପୁଣି ଆରମ୍ଭ କରିବା ଉଚିତ୍। ଏଥିସହ ଆଫଗାନିସ୍ତନ ନଛାଡିବା ପାଇଁ ଲୋକଙ୍କୁ ତାଲିବାନ ନିବେଦନ କରିଛି।
ତାଲିବାନର ମୁଖ୍ୟ ମୁଖପାତ୍ର ଜାବିବୁଲ୍ଲା ମୁଜାହିଦ୍ କହିଛନ୍ତି ଏହା ଅଧୀନରେ ଭବିଷ୍ୟତରେ ଆଫଗାନିସ୍ତାନରେ ସରକାର ଓ ସାଧାରଣ ଲୋକଙ୍କ ଜୀବନ ଶରିଆ ଆଇନ ଅନୁଯାୟୀ ଚାଲିବ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ନୂତନ ସରକାରଙ୍କ ପ୍ରୟାସ ଚାଲିଛି ଓ ଆଗକୁ ପରିବେଶ ଆହୁରି ସୁଦୃଢ଼ ହେବ। ତାଲିବାନ ନିଶ୍ଚିତ କରିଛି ଦେଶର ସମସ୍ତ ସ୍କଲର୍ସ, ପ୍ରଫେସର, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତ ବ୍ୟକ୍ତିଙ୍କ ଯତ୍ନ ନିଆଯିବ। ସମସ୍ତଙ୍କ ଠାରୁ ସେମାନଙ୍କ ପରାମର୍ଶ ମଗାଯିବ ଓ ସେମାନଙ୍କ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯିବ।
ସୂଚନାଯୋଗ୍ୟ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ବର୍ତ୍ତମାନ ନିଜ ସରକାର ଘୋଷଣା କରିଛି। ଆଫଗାନରେ ଆରମ୍ଭ ହୋଇଥିବା ତାଲିବାନୀ ଶାସନର କମାଣ ସଂଗଠନ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ଦେଇଛି। ସେ ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ। ସେହିପରି ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲବୀ ହନାଫୀଙ୍କୁ ନିଯୁକ୍ତି ମିଳିଛି। ତେବେ ନୂଆ କ୍ୟାବିନେଟ୍ରେ ଅନେକ ମୁହଁ ରହିଛି ଯାହାଙ୍କ ନାଁ ବିଶ୍ୱ ଆତଙ୍କବାଦୀ ହିଟ୍ ଲିଷ୍ଟରେ ରହିଛି।