ଭୀମ ପୃଷ୍ଟି ପାଇବେ ୪୪ତମ ଶାରଳା ପୁରସ୍କାର

ଭୁବନେଶ୍ୱର : ଚଳିତବର୍ଷ କଥାକାର ଭୀମ ପୃଷ୍ଟି ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୭ ପଶ୍ଚିମା ପବ୍ଲିକେଶନ୍‍ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର ଓ ଫଳକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ଭୀମ ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା ବିଜୟ କୁମାର ଶତପଥୀଙ୍କ ‘ନଷ୍ଟନୀଡ଼ର ଉପକଥା’, ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଅମରେଶ ପଟ୍ଟନାୟକଙ୍କ ‘ଚାହଁ ବା ନଚାହଁ’, ସରୋଜିନୀ ସାହୁଙ୍କ ‘ଦାଦନ’, ରମେଶ ପ୍ରସାଦ ପାଣଗ୍ରାହୀଙ୍କ ‘କାନୀନ’ ଏବଂ ପ୍ରଦୀପ କୁମାର ପଣ୍ଡାଙ୍କ ‘ଯାହା ମୁଁ ଚାହୁଁ ନଥିବି’। ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ସୀତେଶ ତ୍ରିପାଠୀ, ଡ. ସୁଚେତା ମିଶ୍ର, ଡ. ପରମେଶ୍ୱରମୁଣ୍ଡ, ବୈଜୟନ୍ତୀ ମିଶ୍ର ଓ ଡ. ପ୍ରୀତିଧାରା ସାମଲ ବିଚାରକ ଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ, ଡ. ମୃଣାଳ ଚାଟାର୍ଜୀ, ଡ. ପ୍ରସନ୍ନ କୁମାର ମହାନ୍ତି, ଡ. ଯଶୋଧାରା ମିଶ୍ର, ରଂଜନ କୁମାର ଦାସ, ଚିରଶ୍ରୀ ଇନ୍ଦ୍ରସିଂ ଓ ଆଦିତେଶ୍ୱର ମିଶ୍ର।

କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୩ ମସିହା ପାଇଁ ଘୋଷିତ ହୋଇଛି। ପଟ୍ଟଚିତ୍ରର ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ର ଓ ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମିତାଲି ଚିନାରା ଓ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ବିୟତପ୍ରଜ୍ଞା ତ୍ରିପାଠୀ ଓ ରମାକାନ୍ତ ସାମନ୍ତରାୟ ବିଚାରକ ଥିଲେ।

Leave a Reply

Your email address will not be published. Required fields are marked *

Back to top button